କନକ ବ୍ୟୁରୋ : ମୋ ପୋଖରୀ ଯୋଜନାରେ ମାଲକାନଗିରି ସହରରେ ଥିବା ବାଲିସାଗର ପୁନଃରୁଦ୍ଧାର କାମ ହାତକୁ ନେଇଥିଲା ମାଲକାନଗିରି ପୌର ପରିଷଦ। ମିଶନ ଶକ୍ତି ମହିଳାଙ୍କ ସହଭାଗିତାରେ ୪ କୋଟି ୧୧ ଲକ୍ଷ ଟଙ୍କାରେ ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ ହୋଇଥିଲା। ବିଭିନ୍ନ ଠିକାଦାରଙ୍କ ସହାୟତାରେ ଖୋଳାଯାଇଥିବା ବାଲିସାଗରର କାମ ଏବେ ଅଧାରେ ପଡିରହିଛି। ବର୍ଷା ଯୋଗୁ ଖୋଳାଯାଇଥିବା ମାଟି ଅତଡା ଖସି ପୁନର୍ବାର ପୋଖରୀ ପୋତି ହେବାରେ ଲାଗିଛି। ଏପରି ସ୍ଥିତିରେ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
କେବଳ ବାଲିସାଗର ନୁହେଁ ବରଂ ମାଲକାନଗିରି ପୌରାଂଚଳର ବିବିଗୁଡା, ପ୍ରଧାନିଗୁଡା, ଜେଡ୍.ଏ କଲୋନୀ, ଏମଭି-୨, ଏମଭି-୪୨, ଏମଭି-୪୩, ଝାଟିମାଟି କଲୋନୀ ପରି ୧୨ଟି ପୋଖରୀର ପୁନଃରୁଦ୍ଧାର ଲାଗି ମୁକ୍ତା ଯୋଜନାରେ ପ୍ରାୟ ୨୦ କୋଟି ଖର୍ଚ୍ଚ ହୋଇଛି। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିବିଗୁଡା ପୋଖରୀର ପୁନଃରୁଦ୍ଧାର ଲାଗି ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏତେ ଟଙ୍କା ଖର୍ଚ୍ଚ ପରେ ପୋଖରୀର ଦୃଶ୍ୟ ଦେଖିଲେ ସରକାରୀ ଅର୍ଥ ବାଟମାରଣା ହୋଇଥିବା ଜଳଜଳ ହୋଇ ଦେଖା ଯାଉଛି ।
ବିଶେଷଜ୍ଞଙ୍କ ଦ୍ୱାରା ଜଳାଶୟ ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ ଲାଗି ଡିଜାଇନ୍ ପ୍ରସ୍ତୁତ ହୋଇଛି। ହେଲେ ଜଳ ପ୍ରବେଶ କି ନିଷ୍କାସନର ବ୍ୟବସ୍ଥା ନାହିଁ। କେବଳ ବର୍ଷା ପାଣିରେ ଏ ଜଳାଶୟ ଗୁଡିକ କେମିତି ପୂର୍ଣ୍ଣ ହେବା ତାକୁ ନେଇ ସନ୍ଦେହରେ ପଡିଛନ୍ତି ପୌର ବାସିନ୍ଦା।