କନକ ବ୍ୟୁରୋ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଗଷ୍ଟ ୭ ତାରିଖରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟ ସମୁଦ୍ରକୂଳରେ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜ ଜେନହାୱା-୩୨ ସମୁଦ୍ର ଭିତରକୁ ଯିବା ପରେ କୋଲକତା ଅଭିମୁଖେ ଯାତ୍ରା କରିଛି। କୋଲକତାରେ ଜାହାଜ ମରାମତି ହେବା ପରେ ଏହା ମାଲେସିଆ ଫେରିଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଜାହାଜ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୪ ଜଣ ଇଞ୍ଜିନିୟର ଡଙ୍ଗା ଯୋଗେ କୂଳକୁ ଫେରିବା ପରେ କୋଲକାତା ଫେରି ଯାଇଛନ୍ତି। ତେବେ ଜାହାଜର କଣ୍ଟେନରକୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ।
କଣ୍ଟେନର ୯୦ ପ୍ରତିଶତ ବାଲିରେ ପୋତି ହୋଇ ଯାଇଥିବାବେଳେ କେବଳ ଛାତ ବାହାରକୁ ଦେଖାଯାଉଛି। ସେହିପରି ଜେନହାୱା-୩୨ରେ ଥିବା ନାବିକଙ୍କ ସମେତ ୭ ଜଣ ମାଲେସିଆ ନାଗରିକ ଏବେ ବି କୃଷ୍ଣପ୍ରସାଦ ବ୍ଲକ୍ ଖିରିସାହି ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି। ଆବଶ୍ୟକ କାଗଜପତ୍ର ପରେ ଖୁବଶୀଘ୍ର ସେମାନେ ସ୍ବଦେଶ ଫେରିଯିବେ ବୋଲି ସୂଚନା ମିଳିଛି। ପ୍ରକାଶଥାଉକି, ଅଚଳ ଜାହାଜ ଜେନହାୱା-୩୨କୁ ଟାଣିନେବା ପାଇଁ ଶନିବାର ସିଙ୍ଗାପୁରରୁ ‘ଏମଭି ଚିତା’ ନାମକ ଏକ ଜାହାଜ ଚିଲିକା ରାଜହଂସ ଉପକୂଳରେ ପହଞ୍ଚିଥିଲା। ଗତକାଲି ରାତିରେ ସମୁଦ୍ରରେ ବଡ଼ ଜୁଆର ଆସିବା ପରେ ‘ଏମଭି ଚିତା’ ଅଚଳ ମାଲେସିଆ ଜାହାଜକୁ ସମୁଦ୍ର ଭିତରକୁ ନେଇଯିବାରେ ସଫଳ ହୋଇଥିଲା।
Follow Us