ଋଣ ସୁଝି ନ ପାରିବାରୁ ପାକିସ୍ତାନକୁ ଝଟକା ଦେଲା ମାଲେସିଆ । ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଜବତ୍ କଲା ବିମାନ

4,985

କନକ ବ୍ୟୁରୋ : ପାକିସ୍ତାନ ର ଅସୁବିଧା ସମୟରେ ବି ତା’ର ବନ୍ଧୁ ଦେଶ ମାନେ ତାକୁ ଝଟକା ଦେବାରେ ଲାଗିଛନ୍ତି । ପ୍ରଥମରୁ କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନକୁ ତା’ର ବନ୍ଧୁ ଦେଶ ମାଲେସିଆ ବି ଦାଉ ସାଧିଛି । ମାଲେସିଆର ସରକାରୀ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ (ପିଆଇଏ) ର ଏକ ଯାତ୍ରୀବାହୀ ବିମାନ ୭୭୭ ରୁ ଯାତ୍ରୀ ମାନଙ୍କୁ ଉହ୍ଲାଇ ଦେଇ ବିମାନଟିକୁ ଜବତ କରିଛି    । ଏହି ବିମାନଟି ପାକିସ୍ତାନ ମାଲେସିଆରୁ ଲିଜ୍ ସୂତ୍ରରେ ଆଣିଥିଲା । ମାତ୍ର ଟଙ୍କା ଦେଇ ନ ପାରିବାରୁ ମାଲେସିଆ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ମୁତାବକ କୁଆଲାମପୁର ଏୟାରପୋର୍ଟରେ ବିମାନଟିରେ ଯାତ୍ରୀ ଓ କର୍ମଚାରୀ ଥିବା ବେଳେ ମାଲେସିଆ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ ଓ ବିମାନଟିକୁ ଜବତ କରିନେଇଥିଲେ । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ ଏନେଇ ଏକ ଟ୍ୱିଟ୍ କରି ଜଣାଇଛି କି ପିଆଇଏର ଏକ ବିମାନକୁ ମାଲେସିଆର ସ୍ଥାନୀୟ ଅଦାଲତ ଜବତ କରି ନେଇଛି । ଏହା ମାଲେସିଆ ଅଦାଲତର ଏକତରଫା ବିଚାର ବୋଲି ଟ୍ୱିଟରେ ଲେଖାଯାଇଛି । କାରଣ ଦର୍ଶାଯାଇଛି କି ଏହି ବିବାଦ ପିଆଇଏ ଓ ଅନ୍ୟ ଏକ ପକ୍ଷ ମଧ୍ୟରେ ୟୁକେ କୋର୍ଟରେ ବିଚାରଧିନ ରହିଛି ।
ସୂଚନା ଥାଉକି ପିଆଇଏ ପାଖରେ ମୋଟ ୧୨ ଟି ବଡ ଯାତ୍ରୀବାହୀ ବିମାନ ରହିଛି । ପାକିସ୍ତାନୀ ଖବରକାଗଜ ଡେଲି ଟାଇମ୍ସର ରିପୋର୍ଟ ମୁତାବକ ଏହି ବିମାନଗୁଡିକୁ ପିଆଇଏ ବିଭିନ୍ନ କମ୍ପାନୀ ମାନଙ୍କ ଠାରୁ ଲିଜ ସୂତ୍ରରେ ଆଣିଥାଏ । ଆଜି ମାଲେସିଆ ଅଦାଲତ ଯେଉଁ ବିମାନଟିକୁ ଜବତ କରିଛି ତାହା ବି ଲିଜ୍ ସୂତ୍ରରେ ଆଣିଥିଲା ପିଆଇଏ । ହେଲେ ଲିଜ୍ ଚୁକ୍ତି ମୁତାବକ ଟଙ୍କା ଦେଇ ନଥିବାରୁ ତାହାକୁ ଜବତ୍ କରାଯାଇଛି ।  କହିରଖୁ କି ଏହାପୂର୍ବରୁ ପାକିସ୍ତାନର ଅତି ନିକଟତର କୁହାଯାଉଥିବା ସାଉଦିଆରବ ପାକିସ୍ତାନକୁ ଦେଇଥିବା ୩ ଅରବ ଡଲାର ମାଗି ନେଇଛି । ଇମରାନ ସରକାର ଚୀନ ଠାରୁ ଋଣ ଆଣି ଏହି ଟଙ୍କା ସୁଝିଥିବା ସୂଚନା ରହିଛି ।