ଭାରତ ବିରୋଧୀ ଟିପ୍ପଣୀ ପରେ ସଙ୍କଟରେ ମାଳଦ୍ୱୀପ ରାଜନୀତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

225

କନକ ବ୍ୟୁରୋ: ଭାରତ ବିରୋଧୀ ବୟାନ ଯୋଗୁଁ ମାଳଦ୍ୱୀପ ଏବେ ଏକାଧିକ ସମସ୍ୟା ଘେରରେ । କେବଳ ପର୍ଯ୍ୟଟନ କ୍ଷେତ୍ରରେ କ୍ଷତି ସହୁନି ଦେଶ ବଂର ସେଠାକାର ରାଜନୀତି ଦୁନିଆରେ ସଙ୍କଟ ଦେଖାଦେଇଛି । ରାଷ୍ଟ୍ରପତିଙ୍କୁ ଶାସନରୁ ହଟାଇବା ପାଇଁ ଏକାଠି ହେଲେଣି ବିରୋଧୀ । ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ ବିବାଦ ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଦାୟୀ କରି ସଂସଦରେ ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି । ଏପରିକି ସଂସଦରେ ଏନେଇ ଜବାବ ରଖିବାକୁ ବିରୋଧୀ ଦାବି କରୁଛନ୍ତି ।

  • ମାଳଦ୍ୱୀପରେ ରାଜନୈତିକ ସଙ୍କଟ
  • ରାଷ୍ଟ୍ରପତିଙ୍କ ବିରୋଧରେ ଆସିବ ଅବିଶ୍ୱାସ ପ୍ରସ୍ତାବ!
  • ସଂସଦରେ ଜବାବ ମାଗିଲେ ବିରୋଧୀ

ସଂଖ୍ୟାଲଘୁ ନେତା ତଥା ମାଳଡେବିଏନ ଡେମୋକ୍ରେଟିକ ଅଲ୍ଲୀ ଅଜୀମ କହିଛନ୍ତି ମୁଇଜୁଙ୍କ ବିଦେଶନୀତି ଯୋଗୁଁ ବିଦେଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ଖରାପ ହେଉଛି । ପର୍ଯ୍ୟଟନ କ୍ଷେତ୍ର ବଡ କ୍ଷତି ସହୁଛି । ସେପଟେ ମାଳଦ୍ୱୀପ ପୂର୍ବ ଉପରାଷ୍ଟ୍ରପତିଙ୍କ ବୟାନ ସାମ୍ନାକୁ ଆସିଛି । ସେପଟେ ଡେମୋକ୍ରେଟିକ ପାର୍ଟି ନେତା ମାଇକେଲ ନସୀମ ସଂସଦରେ ଦାବି କରି ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମୀରଙ୍କ ଜବାବ ମାଗିଛନ୍ତି । ମାଳଦ୍ୱୀପ ସରକାର ତୁରନ୍ତ ଭାରତକୁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ରାଷ୍ଟ୍ରପତି ମୁଇଜଙ୍କୁ ବିରୋଧରେ ବିକ୍ଷୋଭ ଆରମ୍ଭ କରିଛନ୍ତି ମାଳଦ୍ୱୀପ ପର୍ଯ୍ୟଟନ ସଂଘ । ମାଳଦ୍ୱୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି ଭାରତ ବିରୋଧୀ ବୟାନ ପାଇଁ ନିଜ ଦେଶର ନେତାଙ୍କୁ ନିନ୍ଦା କରିବାକୁ ପଛାଇ ନାହାଁନ୍ତି । ସଂଘ କହିଛି ଯେବେ ସଙ୍କଟ ଆସେ ଭାରତ ସବୁବେଳେ ସାହାଯ୍ୟ କରିଛି । ଭାରତ ମାଳଦ୍ୱୀପର ଘନିଷ୍ଠ ସହଯୋଗୀ ଓ ମିତ୍ର ଦେଶ ଅଟେ । ଅନ୍ୟପଟେ ଭାରତର ଅନେକ ଟୁରିଜିମ ସଂସ୍ଥା ମାଳଦ୍ୱୀପ ବୁକିଂ ରଦ୍ଦ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଯେଉଁ ଅପିଲ କରିଥିଲେ ତାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ । ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଲାକ୍ଷାଦ୍ୱୀପର ପର୍ଯ୍ୟଟନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । ତେବେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ମାଳଦ୍ୱୀପକୁ ତଲବ କରିଥିଲା ଭାରତ । ପରେ ମାଳଦ୍ୱୀପର ୩ ମନ୍ତ୍ରୀ ମରିୟନ ଶିଉନା, ମାଲଶା ସରିଫ ଓ ମହଜୁଦ ମଜିଦଙ୍କୁ କ୍ୟାବିନେଟର ନିଲମ୍ବିତ କରାଯାଇଥିଲା ।