କନକ ବ୍ୟୁରୋ : ଭାରତ ସହ ବିବାଦ ଭିତରେ ଚୀନକୁ ନିଜର ପରମ ସହଯୋଗୀ ମାନୁଛି ମାଳଦ୍ୱୀପ । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଚୀନ ଗସ୍ତକୁ ନେଇ ବଡ ଖବର ଆସିଛି । ଚୀନ ସହ ୨୦ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି ମାଳଦ୍ୱୀପ । ମିଳିଥିବା ସୂଚନା ଅନୁସାରେ ମାଳଦ୍ୱୀପର ପର୍ଯଟନକୁ ବଳ ଯୋଗାଇ ଚୀନ ଉଭୟ ଦେଶ ମଧ୍ୟରେ ବିମାନ ଉଡାଣ ସଂଖ୍ୟା ବଢ଼ାଇବ । ଏଥିସହ ମାଳଦ୍ୱୀପର ଭିତିଭୂମିକୁ ଅଧିକ ମଜବୁତ କରିବାକୁ ଚୀନ ପୁଞ୍ଜି ନିବେଶ କରିବ । ଆବାସ ପରିଯୋଜନା, ମତ୍ସ୍ୟଉତ୍ପାଦନ, କାରଖାନା, ସଡକ ବିକାଶ ଦିଗରେ ଉଭୟ ଦିଗ ସହଯୋଗରେ କାମ କରିବେ । ରାଷ୍ଟ୍ରପତି ମୁଇଜୁଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । କେବଳ ସେତିକି ନୁହେଁ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ରାତ୍ରୀ ଭୋଜନର ଆୟୋଜନ ମଧ୍ୟ କରିଥିଲା ଚୀନ ।
ମାଳଦ୍ୱୀପ ଓ ଚୀନ ପରସ୍ପରର ପ୍ରଶଂସା କରିଛନ୍ତି । ଚୀନକୁ ମାଳଦ୍ୱୀପ ନିଜର ବିପଦ ସମୟର ବନ୍ଧୁ କହିଛି । ସେହିପରି ମାଳଦ୍ୱୀପକୁ ନିଜର ପ୍ରକୃତ ବନ୍ଧୁ କହିଛି ଚୀନ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ସରକାରଙ୍କ ଉପରେ ବିବାଦୀୟ ବୟାନ ଦେବାକୁ ପଛେଇ ନାହାଁନ୍ତି । ନୂଆଦିଲ୍ଲୀ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁଇଜୁ କହିଛନ୍ତି, ଭାରତ, ମାଳଦ୍ୱୀପରେ ଅଧିକ ହସ୍ତକ୍ଷେପ କରୁଛି । ଭାରତର ହସ୍ତକ୍ଷେପ ମାଳଦ୍ୱୀପର ସାର୍ବଭୌମତ୍ୱ ପାଇଁ ବିବାଦ ବୋଲି କହିଛନ୍ତି ମୁଇଜୁ । କେବଳ ସେତିକି ନୁହେଁ ନିଜ ଦେଶର ବିକାଶ ପାଇଁ ଚୀନ ଆଗରେ ହାତ ପତାଇଛନ୍ତି ମୁଇଜୁ ।
ସେପଟେ ଭାରତ- ମାଳଦ୍ୱୀପ ବୈଠକ ଭିତରେ ପ୍ରତିକ୍ରିୟା ଦେଇଛନ୍ତି ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଅହମ୍ମଦ ଆଦିଭ୍ କହିଛନ୍ତି, ଭାରତ ସବୁବେଳେ ମାଳଦ୍ୱୀପକୁ ସହଯୋଗ କରିଥାଏ । କରୋନା ସମୟରେ ଭାରତ ଠାରୁ ଅନେକ ସହାୟତା ପାଇଛି ଆମ ଦେଶ । ମାଗଣା ଭ୍ୟାକସିନ୍, ଔଷଧ ଯୋଗାଇଛନ୍ତି ମୋଦୀ ସରକାର । ଆଉ ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଏଭଳି ଭାରତ ବିରୋଧୀ ପଦକ୍ଷେପ ଆଦୌ ଠିକ୍ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେବା ବି ଉଚିତ୍ ନୁହେଁ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ ।
ମାଳଦ୍ୱୀପ ବର୍ଷ ବର୍ଷ ଧରି ଭାରତୀୟ ନୌସେନା ଉପରେ ନିର୍ଭର କରେ । ମାଳଦ୍ୱୀପର ନାହିଁ ନିଜସ୍ୱ ନୌବାହିନୀ । ମାଳଦ୍ୱୀପରେ ନୂଆ ସରକାର ହେବା ପରେ ନୂଆ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଭାରତ ବୋଲି ପରମ୍ପରା ବହୁ ଦିନରୁ ରହିଆସିଛି । ହେଲେ ଏହି ପରମ୍ପରାକୁ ଭାଙ୍ଗି ମୁଇଜୁ ପ୍ରଥମେ ଚୀନ୍ ଗସ୍ତ କରିଥିଲେ । ଏଥିସହ ତାଙ୍କର ଦୁଇ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଳଦ୍ୱୀପ ଗସ୍ତ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପର ଠାରୁ ଲାଗି ରହିଛି ଇଣ୍ଡିଆ – ମାଳଦ୍ୱୀପ ବିବାଦ ।