କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ଚୀନ ବିବାଦ ଘେରରେ । ନିଜର ରାଷ୍ଟ୍ରୀୟ ଦିବସ ଅବସରରେ ଚୀନ ନିଜର ଲଢୁଆ ବିମାନକୁ ତାଇୱାନ ଅଞ୍ଚଳରେ ଉଡାଇଥିଲା । ଯାହାକୁ ତାଇୱାନ ରାଷ୍ଟ୍ରପତି ବିରୋଧ କରିଛନ୍ତି । ଏପରିକି ତାଇୱାନ ଅକ୍ତିଆର କରିବାକୁ ଚୀନ୍ ସ୍ୱପ୍ନ ଦେଖୁଛି । ଯାହାକୁ ନେଇ ତାଇୱାନ ରାଷ୍ଟ୍ରପତି କହିଛନ୍ତି, ତାଇୱାନକୁ ଚୀନ୍ ଅକ୍ତିଆର କଲେ ଏହାର ପରିଣାମ ପୂରା ଏସିଆ ଭୋଗିବ । ସେହିଭଳି ଏଲଏସିରେ ଚୀନ ବାରମ୍ବାର ଅନୁପ୍ରବେଶ କରି ଭାରତ ସହ ସମ୍ପର୍କ ଖରାପ କରିଛି । ଏହାଛଡା ଅଷ୍ଟ୍ରେଲିଆ, ଆମେରିକା ଓ ବ୍ରିଟେନ ମଧ୍ୟରେ ହୋଇଥିବା ସବମେରାଇନ ପରମାଣୁ ଚୁକ୍ତିକୁ ନେଇ ଚୀନ୍ ଯେଉଁ ଆଭିମୁଖ୍ୟ ଦେଖାଇଥିଲା ତାହାକୁ ଅନ୍ୟ ଦେଶ କଡା ଭାଷାରେ ନିନ୍ଦା କରିଥିଲେ । ଆଉ ଏବେ ଚୀନକୁ ନାଲି ଆଖି ଦେଖାଇଛି ମାଲେସିଆ । ଚୀନ୍ ରାଷ୍ଟ୍ରଦୂତଙ୍କୁ ରିପୋର୍ଟ ତଲବ କରିଛି ମାଲେସିଆ ।
ଦକ୍ଷିଣ ଚୀନ୍ ସାଗରର କ୍ୱାଲାଲମପୁର ଅଞ୍ଚଳରେ ଚୀନ ଜାହାଜ ଗତିବିଧି ବଢୁଥିବା ଦେଖି ଆପତ୍ତି ଉଠାଇଛି ମାଲେସିଆ । ତେବେ ଏହି ଅଞ୍ଚଳରେ କେତୋଟି ଚୀନ୍ ଜାହାଜ ପଶିଥିଲା ଓ କେଉଁ ଦିନ ଏହି ଘଟଣା ଘଟିଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ନେଇ ଚୀନ ଉପରେ ବର୍ଷିଛି ମାଲେସିଆ । ଏଭଳି ବିନା ଅନୁମତିରେ କୌଣସି ଦେଶର ସାମୁଦ୍ରିକ କ୍ଷେତ୍ରରେ ପଶିବା ୧୯୮୨ରେ ସଂଯୁକ୍ତ ରାଷ୍ଟ୍ରର ସାମୁଦ୍ରିକ ଆଇନର ଉଲ୍ଲଂଘନ । ତେଣୁ ମାଲେସିଆ ଏହି ଘଟଣାକୁ ନେଇ ଯାହା ବି କାର୍ଯ୍ୟାନୁଷ୍ଠାନ ନେବ ତାହା ଅନ୍ତର୍ଜାତୀୟ ଆଇନ ଉପରେ ଆଧାରିତ ରହିବ । ଏଭଳି କାର୍ଯ୍ୟାନୁଷ୍ଠାନ ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ନିଆଯାଇଛି । ଚୀନର ଏଭଳି ଲଗାତାର ଅନୁପ୍ରବେଶକୁ ମାଲେସିଆ ପୂର୍ବରୁ ମଧ୍ୟ ବିରୋଧ କରି ଆସୁଛି ।
ଦକ୍ଷିଣ ଚୀନ୍ ସାଗରକୁ ଚୀନ୍ ନିଜର ବୋଲି ବାରମ୍ବାର କହିଆସୁଛି, କିନ୍ତୁ ମାଲେସିଆ, ଫିଲିପିନ୍ସ, ବ୍ରୁନେଇ, ତାଇୱାନ, ଭିଏତନାମ ଏହାକୁ ଲଗାତାର ବିରୋଧ କରିଆସୁଛନ୍ତି । ଏହାସତ୍ତେ୍ୱ ମଧ୍ୟ ଚୀନ ଏଠାରେ ନିଜର ଗିତିବିଧିକୁ ବଢାଇବା ସହ ଏଠାରେ କୁତ୍ରିମ ଦ୍ୱୀପ ନିର୍ମାଣ କରି ଏଠାରେ ସୈନ୍ୟ ଆଡ୍ଡା ନିର୍ମାଣ କରିଛି । ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଏହି ଦ୍ୱୀପ ନିର୍ମାଣ କରାଯାଇଥିବା କହି ଆସୁଛି ଚୀନ୍ । କିନ୍ତୁ ବାସ୍ତବରେ ଦକ୍ଷିଣ ଚୀନ୍ ସାଗରରେ ନିଜର ଶକ୍ତି ବଢାଇବା ଉଦ୍ଦେଶ୍ୟରେ ଚୀନ୍ ଏପରି କରୁଥିବା କୁହାଯାଉଛି ।