ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ମାଳତୀପାଟପୁର । ବାତ୍ୟା ‘ଫୋନି’ ଉଜାଡିଦେଇଛି ୭୨ କୋଟି ଟଙ୍କାର ବସଷ୍ଟାଣ୍ଡ ।

172

କନକ ବ୍ୟୁରୋ : ୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ସୂତା ଖିଅ ପରି ଉଡ଼ିଗଲା । ବିଧ୍ବଂସକାରୀ ବାତ୍ୟା ‘ଫନି ମାଡ଼ରେ ଛପରଠାରୁ ସିଲିଂ, ଫ୍ୟାନ୍‌ଠାରୁ ସିସିଟିଭି, ଆଲୋକଠାରୁ ଯାତ୍ରୀ ବିଶ୍ରାମାଗାର ସବୁ କିଛି ଉଡ଼ାଇ ନେଇଗଲା । ପୂରାପୂରି ଲଣ୍ଡା କରିଦେଲା ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ । ଏବେ କେବଳ କଙ୍କାଳ ପଡ଼ିଛି । ବସ୍‌ଷ୍ଟାଣ୍ଡର ନବକଳେବର ପାଇଁ ଅନ୍ୟୂନ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।

ପର୍ଯ୍ୟଟନ କ୍ଷେତ୍ର ପୁରୀ ପାଇଁ ତିଆରି ହୋଇଥିଲା ଏହି ବିଶ୍ବସ୍ତରୀୟ ବସ୍‌ଷ୍ଟାଣ୍ଡ । ପାଖପାଖି ୫ ଶହ ବସ୍‌ ରହିବା ଭଳି ବ୍ୟବସ୍ଥା। ଯାତ୍ରୀଙ୍କ ପ୍ରବେଶ, ବିଶ୍ରାମ, ପ୍ରସ୍ଥାନ ସବୁ ପାଇଁ ଥିଲା ଉଚ୍ଚକୋଟିର ବ୍ୟବସ୍ଥା । ଆଇଆଇଟି ରୁର୍‌କୀ ଏହାର ଡିଜାଇନ୍‌ କରିଥିଲା । ୭୨ କୋଟି ଟଙ୍କାରେ ନିର୍ମିତ ଏହି ବସ୍‌ଷ୍ଟାଣ୍ଡରେ ସୁରକ୍ଷା ପାଇଁ ଥିଲା ଅନେକ ବ୍ୟବସ୍ଥା । ବସଷ୍ଟାଣ୍ଡ ଉପରେ ନଜର ରଖିଥିଲା ୫୫ଟି ସିସିଟିଭି କ୍ୟାମେରା । ଯାତ୍ରୀଙ୍କ ବସିବା ପାଇଁ ଥିଲା ଆରାମଦାୟକ ସିଟ୍‌ । କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରକଳା ସ୍ଥାନୀତ ସାଙ୍ଗକୁ ଉନ୍ନତ ମାନର ସିଲିଂ ବି ହୋଇଥିଲା । ଦେଖିଲା ଭଳି କାମ ହୋଇଥିଲା ଏହି ବସ୍‌ଷ୍ଟାଣ୍ଡରେ । ସବୁ ପରେ ପଡ଼ିଥିଲା ଟିଣ ଛପର । ପୁରୀ ବାତ୍ୟା ପ୍ରଭାବିତ ଅଞ୍ଚଳ। ଏଠାରେ ବହୁ କୋଟିର ବସ୍‌ଷ୍ଟାଣ୍ଡ ଛାତ ଟିଣରେ କରାଯିବା ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଯାହା ଏବେ ସତ ହୋଇଛି । ଗୋଟିଏ ବାତ୍ୟା ବି ସମ୍ଭାଳି ପାରିଲାନି ବସ୍‌ଷ୍ଟାଣ୍ଡ । ସୂତା ଖିଅ ପରି ଉଡ଼ିଗଲା ପୂରା ଛପର ।

୨୦୧୫ ଜୁନ୍‌ ୪ ତାରିଖରେ ଏହି ବସଷ୍ଟାଣ୍ଡକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୁରୀର ମୁଖ୍ୟ ବସ୍‌ଷ୍ଟାଣ୍ଡ ହେବ ବୋଲି ଧାର୍ଯ୍ୟ ହୋଇଥିଲା । ମାତ୍ର ବିରୋଧ ହେବାରୁ ତାହା ଟୁରିଷ୍ଟ ବସ୍‌ଷ୍ଟାଣ୍ଡ ହେଲା । ମେ ୩ ତାରିଖରେ ଆସିଲା ବାତ୍ୟା ‘ଫନି’ । ବସ୍‌ଷ୍ଟାଣ୍ଡକୁ ଖିନ୍‌ଭିନ୍‌ କରିଦେଲା । ଏଠାରେ ଲାଗିଥିବା ୫୫ଟି ସିସିଟିଭିକୁ କଚାଡ଼ି ଭାଙ୍ଗିବା ସହ ୧୨୮ଟି ଫ୍ୟାନ୍‌କୁ ମୋଡ଼ି ଦେଲା । ୪ଟି ହାଇମାଷ୍ଟ ଲାଇଟ୍‌କୁ ଉପାଡ଼ି ଫିଙ୍ଗିଲା । ବସଷ୍ଟାଣ୍ଡ ଭିତରେ ଲାଗିଥିବା ସିଲିଂ ବି ଛାରଖାର । ଏବେ ବସ୍‌ଷ୍ଟାଣ୍ଡ ଶ୍ରୀହୀନ ହୋଇପଡ଼ିଛି । ଏହାର ମରାମତି ପାଇଁ ପ୍ରାଥମିକ ଆକଳନ କରିଛି ପରିବହନ ବିଭାଗ । ୬.୧୪ କୋଟି ଟଙ୍କା ଲାଗିବ ବୋଲି କୁହାଯାଉଛି । ତେବେ ଏହା ଚୂଡ଼ାନ୍ତ ନୁହେଁ । ପୂର୍ତ୍ତ ବିଭାଗ, ଆଇଆଇଟି ରୁରକୀ ଟିମ୍‌ର ଆକଳନ ଅନୁଯାୟୀ ଏହାର ନବକଳେବର ପାଇଁ ପାଖପାଖି ୧୦ କୋଟି ଖର୍ଚ୍ଚ ‌ହେବ ବୋଲି ଜଣାପଡ଼ିଛି । ଏ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।