କନକ ବ୍ୟୁରୋ: ଅଚଳ ହୋଇ ପଡିଛି ପାଣି ପାଇପ । ଗାଁର ବିଭିନ୍ନ ସ୍ଥାନରେ ରହିଛି ଅକାମୀ ଷ୍ଟାଣ୍ଡପୋଷ୍ଟ । ନା ପାଣି ବାହାରୁଛି ନା ଶୋଷ ମେଣ୍ଟୁଛି ନା କାହା କାମରେ ଲାଗୁଛି । ବିଶୁଦ୍ଧ ପାଣି ଟୋପେ ମିଳୁନି ବୋଲି ଲୋକେ ନାଇ ନଥିବା ହଇରାଣ ହେଉଛନ୍ତି । ପିଇବା ଠାରୁ ଆରମ୍ଭ କରି ଦୈନନ୍ଦୀନ ବ୍ୟବହାର ପାଇଁ ଚୁଆ, ନଈ ନାଳର ପାଣି ଉପରେ ଭରସା କରୁଛନ୍ତି । ଯେଉଁଥିପାଇଁ ବିଭିନ୍ନ ରୋଗର ଶିକାର ହେଉଛନ୍ତି ବଣ୍ଡାଘାଟିର ମଣିଷ । ଲକଡାଉନ ସମୟରେ ଯେତେବେଳେ ଶିକ୍ଷିତା ଯୁବତୀ ସହରରୁ ଗାଁକୁ ଫେରୁଛି ଆଉ ନିଜ ଭିଟାମାଟିରେ ଜଳ ସମସ୍ୟାର ଭୟଙ୍କର ଦୃଶ୍ୟ ଦେଖୁଛି ସେତେବେଳେ ନିଜ ପରିବାର ସହ ଗାଁ ଲୋକଙ୍କ ପାଇଁ କୂଅ ଖୋଳିବାକୁ ନିଷ୍ପତ୍ତି ନେଉଛି । ବାସ୍ ତାପରେ ଆରମ୍ଭ ଜଳ ପାଇଁ ଜଳ ଯୁବତୀଙ୍କ ଅଭିଯାନ ।

Advertisment

ମାଲକାନଗିରି ବଣ୍ଡା ଘାଟିର ଉଚ୍ଚ ଶିକ୍ଷିତ ଯୁବତୀ ମାଳତୀ ସିସା । କେବଳ ଉଚ୍ଚ ଶିକ୍ଷାକୁ ନେଇ ସେ ଚର୍ଚ୍ଚିତ ନୁହଁନ୍ତି । ବରଂ ସେ ଏବେ ପାଲଟିଛନ୍ତି ଜିଲ୍ଲାର ୱାଟର ଗର୍ଲ । ଦଶରଥ ମାଞ୍ଝୀଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ପାହାଡ ଖୋଳି ଗାଁକୁ ରାସ୍ତା ଆଣି ଚର୍ଚ୍ଚାକୁ ଆସିଥିଲେ ଦଶରଥ । ଆଉ ଏବେ ବଣ୍ଡା ପାହାଡରେ କୂଅ ଖୋଳି ଗାଁକୁ ପିଇବା ପାଣି ଯୋଗାଉଛନ୍ତି ବଣ୍ଡାଘାଟିର ଜଳ ଯୁବତୀ ମାଳତୀ ସିସା ।

କରୋନା କାଳରେ ଗୋଟିଏ ଚୁଆ ଉପରେ ଲୋକେ ନିର୍ଭର କରୁଥିବା ବେଳେ ସେଠାରେ ନାହିଁ ନଥିବା ଭିଡ ଲାଗେ । ଗୋଟିଏ ପଟେ ଜଳ ସମସ୍ୟା ଆଉ ଅନ୍ୟପଟେ କରୋନା ନିୟମକୁ ମାନୁନଥିବା ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ବ୍ୟଥିତ କରିଥିଲା । ଆଉ ତାପରେ ନିଜ ଭଉଣୀମାନଙ୍କୁ ନେଇ ସେ ନିଜ ଘରେ କୂଅ ଖୋଳିବାକୁ ନିଷ୍ପତ୍ତି ନେଇଥିଲେ । ୪ ଭଉଣୀ ମିଶି ହାତରେ କୋଡି କୋଦାଳ ଧରି ଦୀର୍ଘ ୫ ଦିନର ପରିଶ୍ରମ ପରେ ୨୫ ଫୁଟର କୂଅ ଖୋଳିଛନ୍ତି ଆଉ କୂଅରୁ ପାଣି ବାହାରିଛି ।

ତେବେ ତାଙ୍କର ଏହି କାର୍ଯ୍ୟ ପରେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ମାଳତୀ ସିସା ବଣ୍ଡାଘାଟିର ଉଚ୍ଚ ଶିକ୍ଷିତ ଯୁବତୀ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଅନୁଷ୍ଠାନରୁ ଏମଏ ପାସ କରିବା ପରେ ଘରକୁ ଫେରିଛନ୍ତି । ଆଉ ଘରକୁ ଆସିବା ପରେ ପାଣି ସମସ୍ୟା ଦୂର କରିବା ପାଇଁ ଏଭଳି ପଦକ୍ଷେପ ନେଇ ସଫଳ ହୋଇଛନ୍ତି । ଆଦିବାସୀ ଇଲାକାର ଏ ଖବର ଯେତିକି ପ୍ରେରଣାଦାୟୀ ସେତିକି ଦୁଃଖଦାୟକ ମଧ୍ୟ । ମାଳତୀ ନିଜ ଅଞ୍ଚଳରେ କୂଅ ଖୋଳିଲେନି ଯେ ସରକାରଙ୍କ ବିକାଶ ମିଛ ବାର୍ତ୍ତାକୁ ପଦାରେ ପକାଇଲେ । ବିକାଶ ନେଇ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାର ଜ୍ୱଳନ୍ତ ଉଦାହରଣ ଏ ଲୋକଙ୍କ ସମସ୍ୟା । ପାଣି ପାଇଁ ଷ୍ଟାଣ୍ଡପୋଷ୍ଟ ଅଛି ହେଲେ ସେଥିରୁ ବାହାରୁନି ପାଣି । ଆଉ ଉକ୍ରଟ ଜଳ ସମସ୍ୟା ଦେଇ ଗତିକରୁଛନ୍ତି ବଣ୍ଡାଘାଟିର ମଣିଷ । ମାଳତୀ ସିନା କୂଅ ଖୋଳି ଶୋଷ ମେଣ୍ଟାଇବାକୁ ଚେଷ୍ଟା କରିଛନ୍ତି ହେଲେ ସରକାର କେବେ କରିବେ ସ୍ଥାୟୀ ସମାଧାନ ।