କନକ ବ୍ୟୁରୋ: ଡାକ୍ତରଙ୍କୁ ଦେଖାଇବାକୁ ଓପିଡି ଆଗରେ ସ୍କୁଲ ପିଲାଙ୍କ ଧାଡ଼ି । ଆଉ ଏପଟେ ଡାକ୍ତରଖାନା ବେଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ସ୍କୁଲ ପିଲାଙ୍କ ସଂଖ୍ୟା ଅଧିକ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଖବର । ସମସ୍ତଙ୍କୁ ଜ୍ୱର, ରକ୍ତ ନମୁନା ପରୀକ୍ଷା କଲେ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହେଉଛି । ଲକ୍ଷ୍ମୀପୁର ବ୍ଳକର ୧୮ଟି ଆଶ୍ରମ ବିଦ୍ୟାଳୟରେ ମେଲେରିଆ ଜ୍ଵର କାୟା ମେଲାଇଛି । ମାତ୍ର ୪ ଦିନ ଭିତରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି ୮୪ ଜଣ ଛାତ୍ରଛାତ୍ରୀ ।
- ମାଥିଲିରେ ଝାଡ଼ାବାନ୍ତି ଆତଙ୍କ
- ଦୂଷିତ ପାଣି ଡାକିଆଣିଲା ରୋଗ!
ମାଲକାନଗିରି ମାଥିଲି କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗାଁରେ ଅନ୍ୟ ଲୋକମାନେ ମଧ୍ୟ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଝାଡ଼ାବାନ୍ତିର କାରଣ ଜଣାପଡ଼ି ନଥିବା ବେଳେ ଦୂଷିତ ପାଣି ପାଇଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି ।
- ଡେଙ୍ଗୁ ବଢାଉଛି ଡର
- ୨୬ ଜିଲ୍ଲାରେ ୪୬୩ ଆକ୍ରାନ୍ତ ଚିହ୍ନଟ
ବର୍ଷା ରୁତୁ ଆରମ୍ଭରୁ ଏଡ଼ିସ ମଶାଙ୍କ ଆତଙ୍କ ବଢ଼ିଛି । ଆଉ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସୁନ୍ଦରଗଡ଼ ଜିଲ୍ଲାରେ ଏପର୍ଯ୍ୟନ୍ତ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ରାଉରକେଲାରେ ୫୭ ଜଣ ପଜିଟିଭ ଚିହ୍ନଟ । ରାଉରକେଲାର ୧୪ ନମ୍ୱର ସେକ୍ଟର ଅଞ୍ଚଳକୁ ହଟସ୍ପଟ ଘୋଷଣା କରାଯାଇଛି ।
ଏପଟେ ଖୋର୍ଦ୍ଧାରେ ବର୍ତ୍ତମାନ ସୁଦ୍ଧା ୧୨୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଭୁବନେଶ୍ବରରେ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ ମାସରୁ ଜୁଲାଇ ସୁଦ୍ଧା ୨୬ ଜିଲ୍ଲାରୁ ୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।