କନକ ବ୍ୟୁରୋ: ଜିଲ୍ଲାରେ ବଢୁଛନ୍ତି ମ୍ୟାଲେରିଆ ଆକ୍ରାନ୍ତ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବା ନେଇ ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଏବେ ଡାକ୍ତରଖାନାରେ ଶହଶହ ରୋଗୀ ଭର୍ତି ହୋଇଛନ୍ତି। ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଧିକ ଆକ୍ରନ୍ତ ହୋଇଛନ୍ତି। ଏଥିରୁ ଜଣାପଡୁଛି ରାୟଗଡା ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି କେତେ ଗମ୍ଭୀର ।

Advertisment

ଡାକ୍ତରଖାନାରେ ମାଳମାଳ ରୋଗୀ। ସମସ୍ତେ ମ୍ୟାଲେରିଆ ଆକ୍ରାନ୍ତ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଳେ ଶୋଇ ଚିକିତ୍ସିତ ହଉଛନ୍ତି ରୋଗୀ। ଆକ୍ରାନ୍ତଙ୍କ ସଂଖ୍ୟା ବଡୁଥିବାରୁ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ବେଡ ନାହିଁ । ତେଣୁ ଆକ୍ରାନ୍ତଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି। ଅଧିକାଂଶ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସେପଟେ ରକ୍ତ ନମୂନା ପରୀକ୍ଷା ପାଇଁ ଲାଗିଛି ଲମ୍ବା ଲାଇନ। ନିରାମୟ କାଉଣ୍ଟରରେ ବି ପ୍ରବଳ ଭିଡ଼। ଏ ଭିଡ କହୁଛି ରାୟଗଡାରେ କେତେ ଗମ୍ଭୀର ମ୍ୟାଲେରିଆ ସ୍ଥିତି । ଆଶ୍ରମ ବିଦ୍ୟାଳୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନାରା କହିଛନ୍ତି। ଜିଲ୍ଲାର ସମସ୍ତ ଆଶ୍ରମ ବିଦ୍ୟାଳୟରେ ଏଏନଏମ ଓ ଆଶାଦିଦି ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିବା ସହ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଉଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ମେ ମାସ ସୁଦ୍ଧା ରାୟଗଡ଼ା ଜିଲ୍ଲାର ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଲକ୍ଷ ୧୪ ହଜାର ୨୨୫ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଛି। ଏଇ ୫ ମାସରେ ୨୫୦୮ ଜଣ ମ୍ୟାଲେରିଆ ପଜିଟିଭ୍ ଚିହ୍ନଟ ହୋଇଛି। ୨୦୨୩ରେ ଏହି ସମୟରେ ୨ଲକ୍ଷ ୧୦ ହଜାର ୬୯୪ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ୨୨୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ମ୍ୟାଲେରିଆ ମୃତ୍ୟୁ ରୋକିବାକୁ ୨୦୧୬ରେ ଦମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ଫଳପ୍ରଦ ହୋଇନାହିଁ। ବର୍ତମାନ ଜିଲ୍ଲା ପ୍ରଶାସନ କଲ୍ୟାଣ ଅଧିକାରୀ ରାୟଗଡା, ଗୁଣୁପୁର ଓ ଗୁଡାରୀ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଓ ଜିଲ୍ଲାର ସମସ୍ତ ବ୍ଳକ ମଙ୍ଗଳ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି । ମ୍ୟାଲେରିଆ ପରିସ୍ଥିତି ଗମ୍ଭୀର ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ବିହିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିତ୍ୟାନ୍ତ ଜରୁରୀ ।