ବିବାହ ବନ୍ଧନରେ ଆବଦ୍ଧ ହେଲେ ମଲାଲା : ଲଣ୍ଡନ ବର୍ମିଂହାମରେ ସାଧାରଣ ଉତ୍ସବରେ ହେଲା ବାହାଘର

ଟୁଇଟ୍ କରି ଫଟୋ ଶେୟାର କଲେ ନୋବେଲ ବିଜୟନୀ; ୨୦୧୨ରେ ମିଳିଥିଲା ପୁରସ୍କାର

536

କନକ ବ୍ୟୁରୋ : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ । ଟ୍ୱିଟ କରି ଏହି ବିଷୟ ଜଣାଇଛନ୍ତି ମଲାଲା । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି ମଲାଲା । ଟ୍ୱିଟରରେ ମଲାଲା ଲେଖିଛନ୍ତି . ଆସିର ଓ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଜି ତାଙ୍କ ପାଇଁ ଏକ ବଡ ଦିନ । ଲଣ୍ଡନର ବର୍ମିଂହାମସ୍ଥିତ ବାସଭବନରେ ଏକ ସାଧାରଣ ଉତ୍ସବରେ ଉଭୟ ବିବାହ କରିଛନ୍ତି । ୨୦୧୨ ମସିହାରେ ମଲାଲା ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ସେ ସ୍ୱର ଉତ୍ତୋଳନ କରି ଆଫଗାନିସ୍ତାନରେ ତାଲିବାନର ଆକ୍ରମଣର ଶିକାର ହୋଇଥିଲେ ।

ସୂଚନାଯୋଗ୍ୟ, ୨୪ ବର୍ଷୀୟ ମଲାଲା ୟୁସୁଫ୍‌ଜଇ ହେଉଛନ୍ତି ନାରୀ ଶିକ୍ଷାକୁ ସମର୍ଥନ କରୁଥିବା ଜଣେ ପାକିସ୍ତାନୀ ସାମାଜିକକର୍ମୀ ଏବଂ ଇତିହାସରେ ସର୍ବକନିଷ୍ଠ ନୋବେଲ୍‌ ପୁରସ୍କାର ବିଜୟିନୀ । ଶିକ୍ଷା ପାଇଁ ବାଳିକାମାନଙ୍କର ମୌଳିକ ଅଧିକାର ସପକ୍ଷରେ ପ୍ରଚାର କରୁଥିବା ବେଳେ ୨୦୧୨ରେ ଉତ୍ତର ପାକିସ୍ତାନରେ ତାଲିବ୍‌ମାନେ ତାଙ୍କ ମୁଣ୍ଡରେ ଗୁଳି ମାରିଥିଲେ । ସେହି ସମୟରେ ସେ ସମଗ୍ର ବିଶ୍ବରେ ସୁପରିଚିତା ହୋଇଯାଇଥିଲେ । ଶିକ୍ଷାରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଜାତିସଂଘ ମୁଖ୍ୟାଳୟରେ ଭାଷଣ ଦେବା ବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା ।

ମଲାଲାଙ୍କ ଉପରେ ଆକ୍ରମଣ ଯୋଗୁଁ ହିଁ ପାକିସ୍ତାନ ପ୍ରଥମ ଶିକ୍ଷା ଅଧିକାର ବିଲ୍‌ ପ୍ରସ୍ତୁତ କରିଥିଲା । ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ଏବଂ ତା’ପରର ପ୍ରସଙ୍ଗକୁ ଆଧାର କରି ସେ ‘ଆଇ ଆମ୍‌ ମଲାଲା’ (ମୁଁ ମଲାଲା) ଶୀର୍ଷକ ପୁସ୍ତକଟିଏ ପ୍ରକାଶ କରିଥିଲେ ।