କନ୍ଧମାଳର ମଲାଲା: ଘରଘର ବୁଲି ପିଲାଙ୍କୁ ପାଠ ପଢାଉଛନ୍ତି କଇଁତା

62

କନକ ବ୍ୟୁରୋ: ଗତ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ଥିବାରୁ କନ୍ଧମାଳର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନେ ଭୁଲି ଗଲେଣି ପାଠ  । ଖେଳ କୁଦ, ଜଙ୍ଗଲ ଯିବାରେ ଏମାନେ ମନନିବେଶ କରି ସାରିଲେଣି । ଏହି ଘଡିସନ୍ଧି ସମୟରେ ପୁଣି ପାଠପଢିବାକୁ ଫେରାଇ ଆଣିବାକୁ ଚେଷ୍ଟା କରିଛନ୍ତି ସେହି ଗ୍ରାମର ଝିଅ କଇଁତା ଦିଗାଲ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡି ପଚାଂୟତ ଲାହାବାଡି ଗ୍ରାମର କଇଁତା ନିଜେ ପାଠପଢି ଗ୍ରାମର ଛୋଟ ପିଲାକୁ ସକାଳୁ ୧୦ ଟାରୁ ୧ଟା ପର୍ଯ୍ୟନ୍ତ  ସ୍କୁଲ ଭଳି ପାଠ ପଢାଇବା ଆରମ୍ଭ କରିଛନ୍ତି ।

କରୋନା ଯୋଗୁଁ ସ୍କୁଲ ବନ୍ଦ ଅଛି । ପିଲା ପାଠ ପଢିବା ଓ ସ୍କୁଲ ଯିବା ଭୁଲି ଗଲେଣି । ଏପରି ସମୟରେ ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ଅଂଟା ଭିଡିଛନ୍ତି ଗାଁର ଜଣେ ଯୁବତୀ । ଘର ଘର ବୁଲି ଛାତ୍ରଛାତ୍ରୀ ଏକାଠି କରିବା ପରେ ବନସଂରକ୍ଷଣ ସମିତିର ସଭାଗୃହକୁ ନେଇ ପିଲାଙ୍କୁ ପଢାଉଛନ୍ତି । ବାଲିଗୁଡା ସିଟି ସ୍କୁଲର ପ୍ରଥମ ବର୍ଷ ଛାତ୍ରୀ କଇଁତା ସ୍କୁଲ ବନ୍ଦ ଥିବାରୁ ସେ ଏବେ ଗାଁରେ ଅଛନ୍ତି । ଆଉ ପିଲା ଗାଁରେ ବୁଲାବୁଲି କରୁଥିବା ଦେଖି ସେମାନଙ୍କୁ ପଢାଇବାକୁ ନିଷ୍ପତି ନେଇଥିଲେ । ସେ ନିଜ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ପାଇଁ ପେନ, ପେନସିଲ୍, ରବର, ଖାତା ଦେଉଛନ୍ତି । କନ୍ଧମାଳ ଜିଲ୍ଲା କେରେଡି ପଚାଂୟତ ଲାହାବାଡି ଗାଁର ଶିକ୍ଷିତ ଝିଅ କଇଁତା ସ୍କୁଲ ପିଲାଙ୍କୁ ମାଗଣା ଶିକ୍ଷାଦାନ କରି ଯୁବସମାଜ ପାଇଁ ଉଦାହରଣ ସାଜିଛନ୍ତି  ।