ଅଦରକାରୀ ପଦାର୍ଥରୁ ପ୍ରସ୍ତୁତ କରୁଛନ୍ତି କଳାକୃତି: ସମାଜକୁ ଦେଉଛନ୍ତି ସଚେତନର ବାର୍ତ୍ତା

48

କନକ ବ୍ୟୁରୋ: ବିଭିନ୍ନ ଅଦରକାରୀ ପଦାର୍ଥରୁ ପ୍ରସ୍ତୁତ କରୁଛନ୍ତି ଅନେକ ଜାତିର କଳାକୃତି । ପ୍ରଦୂଷଣ ରୋକିବା ସହିତ ଆଜିର ସମାଜକୁ ଦେଉଛନ୍ତି ସଚେତନର ବାର୍ତା । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗେଡ଼ିଆପଲ୍ଲୀ ପାଟଣା ଗାଁର ୧୭ ବର୍ଷର ଝିଅ ଜ୍ୟୋତିପ୍ରଭାଙ୍କ କଥା ।

ଭଗବାନ ସମସ୍ତଙ୍କୁ କିଛି ନା କିଛି ପ୍ରତିଭା ଦେଇ ସୃଷ୍ଟି କରିଛନ୍ତି । ସେମିତି କିଛି ପ୍ରତିଭାର ଅଧିକାରୀ ଖୋର୍ଦ୍ଧା ବୋଲଗଡ ଗେଡ଼ିଆପଲ୍ଲୀ ପାଟଣା ଗାଁର ୧୭ ବର୍ଷିୟ ଜ୍ୟୋତିପ୍ରଭା । ଆପଣ ଦେଖୁଥିବା ଏହି ସବୁ ଜିନିଷ ଗୁଡିକ ଅତି ସୁନ୍ଦର ଭାବେ ତିଆରି କରିଛନ୍ତି ନିଜେ ଜ୍ୟୋତି । ବିଭିନ୍ନ ପ୍ରକାର ଅଦରକାରୀ ପଦାର୍ଥରୁ ଏଗୁଡିକ ସେ ପ୍ରସ୍ତୁତ କରିଛନ୍ତି । ଆଉ ୟୁଟ୍ୟୁବ୍ରୁ ଦେଖି ବନେଇଛନ୍ତି । ପିଲାଟି ଦିନରୁ ଚିତ୍ରକଳା ପ୍ରତି ଜ୍ୟୋତିପ୍ରଭାଙ୍କର ଆଗ୍ରହ ରହିଛି । ସେହି ଆଗ୍ରହ ଆଜି ତାଙ୍କ ନିଶା ପାଲଟିଯାଇଛି ।

କରୋନା ପାଇଁ କଲେଜ ବନ୍ଦ ଥିବା ବେଳେ ନିଜ ଭିତରେ ଥିବା ପ୍ରତିଭାର ପରିପ୍ରକାଶ କରିଛନ୍ତି ଯୁକ୍ତ ୩ କଳାରେ ପଢୁଥିବା ଏହି ଛାତ୍ରୀ । କାଚ ବୋତଲ, ଚା’ କପ, ବାଦାମ ଚୋପା, ଚାଉଳ, ତୁଳା, ଓସ୍ତ ପତ୍ର, ଏବଂ ଭଙ୍ଗା ସଢେଇକୁ ରଙ୍ଗ ଦେଇ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ।