ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ଆଜିଠୁ ରାଜ୍ୟବ୍ୟାପୀ କଡାକଡି ହେଲା ନିୟମ; ଘର ତିଆରି ମାସ୍କ କିମ୍ବା କପଡ଼ାରେ ବି ଘୋଡାଇ ପାରିବେ ମୁହଁ

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାସ୍କ ତିଆରି କରୁଛନ୍ତି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ

476

କନକ ବ୍ୟୁରୋ: ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାରା ଓଡିଶାରେ ଏହି ନିୟମ ଆଜିଠାରୁ ଲାଗୁହେବାକୁ ଯାଉଛି । ସକାଳ ୭ରୁ ଏହି ନିର୍ଦ୍ଦେଶ କାଯ୍ୟକାରୀ ହେବ । ମୁହଁ ଓ ନାକ ଢାଙ୍କି ହେଲା ଭଳି ମାସ୍କ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା ବିରୋଧ ଲଢେଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ମାସ୍କ ନଥିଲେ ରୁମାଲ ଓ କପଡା ମଧ୍ୟ ବ୍ୟବହାର କରିହେବ । ତେବେ ଏହା ଯେପରି ୨ ସ୍ତରୀୟ ବିଶିଷ୍ଟ ହେବ ଲୋକେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ।

ଜଣେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ଜଣେ ବ୍ୟବହାର କରିପାରିବେ ନାହିଁ । ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ନେଇ ଗତ ସୋମବାର ଏସଆରସି ପକ୍ଷରୁ ସୂଚନା ଦିଆଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ ବାହାରକୁ ବାହାରିଲେ ମାସ୍କ ଆପଣଙ୍କୁ ଅନେକାଂଶରେ ସୁରକ୍ଷା ଦେଇପାରିବ । ଆମ ଓଡିଶାରେ ମାସ୍କ ପିନ୍ଧିବା ସେଭଳି ପୂରୁଣା ଅଭ୍ୟାସ ନୁହେଁ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ତିଆରି ଆରମ୍ଭ ହୋଇଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଔଷଧ ଦୋକାନରୁ ମାସ୍କ କିଣିବା ଆବଶ୍ୟକ ନୁହେଁ । ବରଂ ଘରେ ତିଆରି କରି ମଧ୍ୟ ମାସ୍କ ପିନ୍ଧି ପାରିବେ ।