ଗାଁରେ ଖୋଲିଛି ବିୟୁଟି ପାର୍ଲର । ମହିଳାଙ୍କୁ ମେକଅପ୍ ଦେଇ ଭଲ ରୋଜଗାର କରୁଛନ୍ତି ନିଆଳିର ପପିନା ପଟ୍ଟାୟତ

246

କନକ ବ୍ୟୁରୋ : ମେକଅପ୍ ହେଉ କି ବ୍ୟୁଟି ପାର୍ଲର ବ୍ୟବସାୟ । ଏହା ଏବେ କେବଳ ସହରର ବ୍ୟବସାୟ ନୁହେଁ । ଏବେ ଗାଁ ଗଣ୍ଡାରେ ବି ଏହି ବ୍ୟବସାୟ କରି ବେଶ ଲାଭବାନ ହେଉଛନ୍ତି ମହିଳାମାନେ । ସିଲେଇ ମେସିନ୍ ଓ ବିୟୁଟି ପାର୍ଲର ଖୋଲି ମହିଳାଙ୍କୁ ମେକଅପ୍ ଦେଉଛନ୍ତି କଟକ ନିଆଳି ଅଂଚଳର ପପିନା ପଟ୍ଟାୟତ । ୧୮ ବର୍ଷ ତଳେ ସେ କଟକରେ ଜନଶିକ୍ଷଣ ସଂସ୍ଥାରୁ ବିୟୁଟି ପାର୍ଲର ତାଲିମ ନେଇଥିଲେ । ଏହା ପରେ ବ୍ୟାଙ୍କରୁ କିଛି ରୁଣ ନେଇ ଆରମ୍ଭ କରିଥିଲେ ପାର୍ଲର କାମ । ଆଉ ସେବେଠୁ ସେ ପଛକୁ ଫେରି ଚାହିଁନାହାଁନ୍ତି । ଏବେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ପପିନା । ସୁନ୍ଦର ମେକଅପ୍ ଦେଉଥିବାରୁ ତାଙ୍କୁ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ସମ୍ମାନୀତ କରାଯାଇଛି ।

ଖାଲି ବିୟୁଟି ପାର୍ଲର ନୁହେଁ ତା ଭିତରେ ଟେଲରିଙ୍ଗ୍ କାମ ବି ଚାଲିଛି । ଭଳିକି ଭଳି ଡିଜାଇନର କପଡା ସିଲେଇ କରି ସେଥିରୁ ମଧ୍ୟ ସେ ଭଲ ରୋଜଗାର କରୁଛନ୍ତି । ପପିନା ନିଜେ ସ୍ୱାବଲମ୍ବୀ ହେବା ସହିତ ୮ ଜଣ ଝିଅ ବୋହୁଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି । ମହିଳା ଓ ଝିଅମାନେ ନିଜ ଘର କାମ ସାରି ଏହି ପାର୍ଲର କାମ କରି କିଛି ରୋଜଗାର କରିପାରୁଛନ୍ତି । ଗାଁର ଝିଅ ବୋହୁ ମାନଙ୍କୁ ଏଣିକି ମେକଅପ୍ ନେବା ପାଇଁ ଆଉ ବାହାରକୁ ଯିବାକୁ ପଡ଼ନାହିୁଁ । ନିଜ ଗାଁରେ ନିଜେ ସଜେଇ ହୋଇ ବେଶ ଖୁସି ହେଉଛନ୍ତି ମହିଳା ମାନେ । କୁହାଯାଏ, ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିଥାଏ । ଯାହା ପପିନା ପଟ୍ଟାୟତ ପ୍ରମାଣ କରିଛନ୍ତି ।