କନକ ବ୍ୟୁରୋ : ଖଣି ଅଂଚଳର ଉଦ୍ୟମି ମହିଳା । ଏସଏଚଜି ଗ୍ରୁପ୍ ଗଠନ କରି ପ୍ରସ୍ତୁତ କରୁଛନ୍ତି ପେପର ପ୍ଲେଟ୍ । ଘରକାମ ସାରି ବଳକା ସମୟକୁ ଉପଯୋଗ କରି ହେଉଛନ୍ତି ଆତ୍ମନିର୍ଭରଶିଳ । ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ବେଶ ଦୁଇପଇସା ରୋଜଗାର କରୁଛନ୍ତି ଏହି ମହିଳା ମାନେ । ପୂର୍ବରୁ କାମ ଧନ୍ଦାନମିଳିବାରୁ ଘରେ ମହିଳା ମାନେ ବସିରହୁଥିଲେ । କିଛି କରିବା ପାଇଁ ଯୋଜନା କରି ସେମାନେ ଏଭଳି କିଛି ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦୁଝର ଯୋଡ଼ା ପୌରାଞ୍ଚଳ ଶାସ୍ତ୍ରୀନଗରର ଏକ ନମ୍ବର ୱାର୍ଡ଼ର ୧୨ ଜଣ ମହିଳା ଏକାଠି ଏକ ଗ୍ରୁପ୍ ଗଠନ କରିଛନ୍ତି । ପେପରପ୍ଲେଟ୍ ମେସିନ୍ ବସାଇ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।
୫ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଗ୍ରୁପ୍ ଏବେ ସ୍ଥାନୀୟ ଅଂଚଳରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଗ୍ରୁପ୍ ମାଧ୍ୟମରେ ରୁଣ ନେଇ ମହିଳା ମାନେ ଖଲି ତିଆରି କରୁଛନ୍ତି । ଏହାକୁ ଆଖପାଖ ଅଂଚଳ ସହ ବାହାର ଜିଲ୍ଲାକୁ ବିକ୍ରି ପାଇଁ ପଠାଉଛନ୍ତି । ଜୀବନ ଜିଇଁବାର ମାଧ୍ୟମ ପାଲଟିଛି ଏହି ବ୍ୟବସାୟ ।
ସମୟ ସହ ତାଳ ଦେଇ ବଦଳୁଛି ମହିଳାମାନଙ୍କ ରୂଚି ଓ ରୋଜଗାରର ତରିକା । ପେପର ପ୍ଲେଟ ତିଆରି କରି ବ୍ୟବସାୟରେ ସଫଳ ହୋଇଛନ୍ତି ଜୟ ହନୁମାନ ମହିଳା ସଙ୍ଗଠନର ସଦସ୍ୟା । ଦିନେ ଏହି ମହିଳାମାନେ ଘର କୋଣରେ ବସିରହି ପରିବାର ଉପରେ ନିର୍ଭର କରୁଥିଲେ । ହେଲେ ଦୁଇପଇସା ରୋଜଗାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରଚେଷ୍ଠା ଏବେ ସେମାନଙ୍କୁ ସଫଳତାର ସ୍ୱାଦ ଚଖାଇଛି ।