ସୁନ୍ଦର ତୃପ୍ତିର ଅବସାଦ ନାହିଁ… ସହର ଯେବେ ସଜ ହୁଏ, ଭିଡ ଭିତରେ ବି ଭୁବନେଶ୍ୱର ଭାରି ଭଲଲାଗେ ।

469

କନକ ବ୍ୟୁରୋ: ହକି ଆସିଛି ବୋଲି… ସଜେଇ ହୋଇଛି ସ୍ମାର୍ଟସିଟି । ଭାରି ଫୁଲେଇ ହେଉଛି ଭୁବନେଶ୍ୱର । ରଙ୍ଗାରଙ୍ଗ ରାତିର ରାଜଧାନୀ, ସଜସଜ ସ୍ମାର୍ଟସିଟିର ସକାଳ । ରାସ୍ତାଘାଟ, କାନ୍ଥବାଡ ସବୁଠି ସୌନ୍ଦର୍ଯ୍ୟତାର ଝଲକ । ପାର୍କରୁ ପୋଖରୀ ସବୁଠି ପରିବର୍ତ୍ତନର ସ୍ପର୍ଶ । ଭିଡର ଭୁବନେଶ୍ୱର ଆଜି ଭଲପାଇବା ବାଣ୍ଟୁଛି । ସ୍ୱାର୍ଥର ସହର ଆଜି ସ୍ନେହର ରଙ୍ଗ ବୋଳୁଛି । ରାସ୍ତାରେ ବାଟୋଇ ନାଲି ସବୁଜ ରଙ୍ଗର ରଙ୍ଗୀନ ଆଉ ଚକାଚର ରାସ୍ତାରେ ଚାଲିଚାଲି ଗଲାବେଳେ ଘଡିଏ ଅଟକି ଯାଇ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । ଗାଡି ଚାଳକ ପୂରା ଭୁବନେଶ୍ୱର ଭିତରେ ବୁଲିଲା ବେଳେ ନିଜକୁ ନୂଆ ଏକ ରାଇଜରେ ବୁଲିବା ଭଳି ଅନୁଭବ କରୁଛି । ଗାଡିର କେଁ କାଁ ଶବ୍ଦ ଭିତରେ ବି ଆଜି ଭୁବନେଶ୍ୱରର ଛାତି ଭିତରୁ ହକି ହେ ଦିଲ୍ ମେରା ଗୀତ ଶୁଭୁଛି, ଯାହା ସଭିଙ୍କ ହୃଦୟରେ କିଣୁଛି ।

ରାଜଧାନୀ ଭୁବନେଶ୍ୱରରେ ଏବେ ଦୁଇ ଦୁଇଟି ପର୍ବ ଚାଲିଛି । ପୂରା ଓଡିଶାକୁ ହକି ଜର ଘାରିଥିବା ବେଳେ କମ୍ପୁଛି କଳିଙ୍ଗ, ପଡୁଛି ଉଠୁଛି ଷ୍ଟାଡିୟମ । ଆଉ ସେପଟେ ଡଟ ଫେଷ୍ଟର ମଜା ନେଉଥିବା ରାଜଧାନୀବାସୀ ସଞ୍ଜ ହେଲେ ନାଚୁଛନ୍ତି ଝୁମୁଛନ୍ତି । ଦିନ ସାରାରା ଧାଁ ଦୌଡ ଭିତରେ ଏବେ ମଉଜର ଖୋରାକ ଯୋଗାଇଛି ଓଲିଲ୍ୟାଣ୍ଡ । ସଞ୍ଜ ବାଜିଲେ ପୂରା ଭୁବନେଶ୍ୱର ଲୋକେ ମନୋରଞ୍ଜନ କରିବାକୁ ଏ ସବୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି ।
ଗତ ୩ ବର୍ଷ ହେଲା କରୋନା ପାଇଁ ସବୁକିଛି ଫିକାଫିକା ଥିଲା । ଭୂତାଣୁ ପାଇଁ ଭିଡ ଲାଗୁନଥିଲା, କଟକଣା ପାଇଁ ସାରା ସହର ଶୂନଶାନ ଥିଲା । ହେଲେ ଏବେ ସମୟ ବଦଳିଛି । ମହାମାରୀର ଅନ୍ଧାର ଲିଭି ମହୋତ୍ସବର ଆଲୋକ ପଡିଛି । ଶୀତୁଆ ସଞ୍ଜ, ଆଉ ରଙ୍ଗୀନ ରାଜଧାନୀ ସମସ୍ତଙ୍କୁ ମତୁଆଲା କରୁଛି । ତେଣୁ ତ ଏ ଅଦିନିଆ ଋତୁ, ଅଦିନିଆ ପର୍ବର ମଜା ନେବାରେ ମାତିଛି ରାଜଧାନୀ ।

default

ସବୁପରେ ଖେଳ ପାଇଁ ଖୁସିରେ ଥିବା ରାଜଧାନୀ, ହକି ପାଇଁ ହାଇଲାଇଟ୍ ହେଉଥିବା ଭୁବନେଶ୍ୱର ନିଜ ଭବିଷ୍ୟତ ନେଇ ଭୟଭୀତ । ହକି ପରେ ତା ହାତ ଛାଡିଦେବେନି ତ ? ତାକୁ ହତାଦର କରାଯିବନି ତ ? ଏଇ ଆଶଙ୍କାରେ ଥିବା ରାଜଧାନୀର ଏକମାତ୍ର ଇଚ୍ଛା, ଆଜି ଯେଉଁ ପରିବର୍ତ୍ତନର ରଙ୍ଗ ଲାଗିଛି ସେ ରଙ୍ଗ ସବୁଦିନ ରହୁ । ରାଜଧାନୀ, ରାଜଧାନୀ ଭଳି ସବୁବେଳେ ସୌନ୍ଦର୍ଯ୍ୟଭରା, ମନଲୋଭା ରହୁ । ବ୍ରିଜ ତଳେ ଚିତ୍ର ଏମିତି ସାରା ଦିନ ଝଟକୁ ଥାଉ, ଗଛଲତାମାନେ ଏମିତି ମାଟିର ଛାତି ଉପରେ ଫୁଟି ହସୁଥାନ୍ତୁ । ରାସ୍ତାଘାଟ, କାନ୍ଥବାଡର ରଙ୍ଗ ସବୁବେଳେ ସତେଜତାର ବାର୍ତ୍ତା ଦେଉଥାନ୍ତୁ । ଭୁବନେଶ୍ୱର ଏମିତି ଝଲସୁଥାଉ, ଏମିତି ହସୁଥାଉ…