କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ ଜାରି ରହିଥିବାରୁ ରାଜ୍ୟର ସର୍ବବୃହତ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’କୁ ଚଳିତ ବର୍ଷ ନିର୍ଧାରିତ ସମୟରେ ଆୟୋଜନ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ଭାବୁଛନ୍ତି । ଏହି ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି । ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକ ସହ ଡିଜିଟାଲ୍‌ ମାଧ୍ୟମରେ ଆଲୋଚନା କରାଯାଉଛି । ଏହା ସତ୍ତ୍ବେ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଓ ଦରକାର ପଡ଼ିଲେ ଏହି ସମ୍ମିଳନୀକୁ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ମଧ୍ୟ ପ୍ରସ୍ତୁତ ଥିବା ଜଣାପଡ଼ିଛି । ବୃହତ ସଭା ସମ୍ମିଳନୀ ଆୟୋଜନ ସମ୍ଭବ ନହେଲେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରିବା ବିଷୟରେ ମଧ୍ୟ ସରକାର ବିଚାର କରୁଛନ୍ତି । ଏହି ସମ୍ମିଳନୀ ଚଳିତ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । କିନ୍ତୁ କରୋନା ମହାମାରୀ ସବୁ କିଛି ଓଲଟ ପାଲଟ କରିବାକୁ ବସିଛି ।

Advertisment

ଆଜି ଏମ୍ପର୍କରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ନିର୍ଧାରିତ ସମୟରେ ଆୟୋଜନ ହେବାର କମ୍ ସମ୍ଭାବନା ରହିଛି । ତେଣୁ, ଦରକାର ପଡ଼ିଲେ ସମ୍ମିଳନୀକୁ ଡିସେମ୍ବରରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯିବ । ମହାମାରୀ ପରିସ୍ଥିତି ଓ ଅଂଶୀଦାରମାନଙ୍କ ସ୍ଥିତି ବିଚାରକୁ ନେଇ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ । ସାରା ବିଶ୍ୱର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ସମ୍ମିଳନୀ ସହ ଯୋଡ଼ିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି । ଚଳତି ବର୍ଷ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରାଯିବ । ଏହି ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣକୁ ଜନତା ମଇଦାନ୍‌ରେ ଠାରେ ୨୦୧୮ରେ ଆୟୋଜନ କରାଯାଇଥିଲା । ସେଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ୍‌ଙ୍କ ଭଳି ଦେଶର ଅନେକ ଶିଳ୍ପପତି ଯୋଗ ଦେଇଥିଲେ। ସେହି ସଂସ୍କରଣରେ ରାଜ୍ୟକୁ ୪,୧୯,୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ପ୍ରଥମ ସଂସ୍କରଣକୁ ୨୦୧୬ରେ ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା ।

ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି, କୋଭିଡ୍ ମହାମାରୀ ସମୟରେ ମଧ୍ୟ ରାଜ୍ୟକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି । ପାଞ୍ଚଟି ବନ୍ଦର, ଉପକୂଳ ବିକାଶ ଓ ଖଣି କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି। ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ଛଅଟି କ୍ଷେତ୍ର ପେଟ୍ରୋକେମିକାଲକ୍ସ ଆଣ୍ଡ୍‌ କେମିକାଲ୍ସ, ଖଣି ଓ ଖଣିଜ, ଇସ୍ପାତ ଓ ଆଲୁମିନିୟମ, ଫୁଡ୍‌ ପ୍ରୋସେସିଂ, ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି । ଆମେରିକା ଓ ଚୀନ୍ ଭିତରେ ଚାଲିଥିବା ବିବାଦରୁ ଫାଇଦା ଉଠାଇ ଆଇଟି ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି ।

ରାଜ୍ୟ ଅର୍ଥନୀତି ଓ ଏମ୍ଏସ୍‌ଏମ୍ଇ ସମ୍ପର୍କରେ ସେ କହିଛନ୍ତି, ଜୀବିକା ସୃଷ୍ଟି ଲାଗି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବେଶ ଗୁରୁତ୍ବପୂର୍ଣ୍ଣ । ଏହି କ୍ଷେତ୍ରକୁ ଆହୁରି ଦୃଢ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୭୦ ପ୍ରତିଶତ ଏମ୍ଏସ୍‌ଏମ୍ଇକୁ ଦୃଢ଼ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଅନେକ ବୈଠକ ଆୟୋଜନ କରାଯାଇଛି । ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା ଲାଗି ମନରେଗା ଓ କୃଷି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି । କରୋନା ମହାମାରୀ ପ୍ରଭାବରେ ଘରକୁ ଫେରିଆସିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ କୁଶଳୀ ଶ୍ରମିକମାନେ ପୁଣି କର୍ମ କ୍ଷେତ୍ରକୁ ଫେରୁଛନ୍ତି । ମାତ୍ର ଯେଉଁମାନେ ନିଜ ଘରେ ରହିଯାଇଛନ୍ତି ସେମାନଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।