ଆଜି ପବିତ୍ର ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ଠାକୁରଙ୍କ ନୂଆ ଲାଗି ସହ ହେବ ମକର ବେଶ

Advertisment
ଆଜି ପବିତ୍ର ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି, ଠାକୁରଙ୍କ  ନୂଆ ଲାଗି ସହ ହେବ ମକର ବେଶ

କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତି ନିର୍ଘଂଟ କରାଯାଇଛି । ମହାପ୍ରଭୁଙ୍କ ମକର ବେଶ ପାଇଁ ବଡ ଓଡିଆ ମଠ ପକ୍ଷରୁ ବିଭିନ୍ନ ପୁଷ୍ପ ଓ ତୁଳସୀକୁ ନେଇ ସୁସଜ୍ଜିତ ମାଳ ଶ୍ରୀମନ୍ଦିରକୁ ଦିଆଯାଇଛି । ହଜାର ହଜାର ସଂଖ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମକର ଚାଉଳ ପ୍ରସାଦ ପାଇବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

publive-image

ସେପଟେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ବି ଶେଷ ହୋଇଛି। ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଭକ୍ତ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଜି ମକର ସଂକ୍ରାନ୍ତି ନୀତି ଥିବାରୁ ଶ୍ରୀମନ୍ଦିରକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ନିଆଯାଇଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଅନୁଷ୍ଠିତ ହୋଇଥାଏ। ନବାଙ୍କ ଉପଲକ୍ଷେ ଗତକାଲି ଶ୍ରୀମନ୍ଦିରରେ ଫୁଲ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ଓଡ଼ିଆ ମଠରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବିରାଟ ମାଳକୁ ଶ୍ରୀମନ୍ଦିର ନିଆଯାଇଥିଲା। ମାଳିମାନେ ବାଘମୁହାଁ ବାନ୍ଧି ମାଳ, ଚୁଳ, ଜଳକବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ଆଦି ସହ ବଡ଼ଦେଉଳକୁ ଯାଇଥିଲେ।

publive-image

ବଡ଼ଦେଉଳ ବେଢ଼ାରେ ପ୍ରଦକ୍ଷଣ କରି ବେହରଣ ଦ୍ବାରଠାରେ ମହାପ୍ରଭୁଙ୍କ ବେଶ ପାଇଁ ପାଳିଆ ଖୁଣ୍ଟିଆଙ୍କୁ ମାଳ, ଚୁଳ ଆଦି ଦେଇଥିଲେ। ସଂଧ୍ୟା ଆଳତି ବେଶରେ ଏହି ମାଳଗୁଡିକ ମହାପ୍ରଭୁଙ୍କ ଲାଗି ହୋଇଥିଲା। ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏ। ଭଦ୍ରାସନ ଉପରେ ମୁରୁଜ ପକାଯିବା ପରେ ତିନିଗୋଟି ବାଉଁଶିଆରେ ଚାଉଳ ଭର୍ତି କରି ରଖାଯାଇଥିଲା। ସେଥିରେ ଫୁଲ, ଚନ୍ଦନ, ଚେନେଡ଼ି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ହୋଇଥିଲା। ପରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଗତକାଲି ଆଲାମଚଣ୍ଡୀ ମନ୍ଦିରରୁ ୫ଟି ମକର ତାଡ଼ ଆସିଥିଲା। ଆଜି ମକର ସଂକ୍ରାନ୍ତିରେ ଏହି ତାଡ଼ରେ ମକର ଚାଉଳ ଭୋଗ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe