ଖୋର୍ଦ୍ଧା ଅଟ୍ରିର ପବିତ୍ର କୁଣ୍ଡ : ବିଶ୍ୱାସ ରହିଛି ବୁଡ଼ ପକାଇଲେ ହୁଏ ସନ୍ତାନ ପ୍ରାପ୍ତି , ମକର ସଂକ୍ରାନ୍ତି ପାଇଁ ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ଯୋଡା କେଶରୀ କୁଣ୍ଡରେ ବୁୁଡ଼ ପକାଇଲେ ଭକ୍ତ 

382

ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି । ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଇଥିପାଇଁ ରହିଛି କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣୟାନରୁ ଉତରାୟଣ ନେଇଥାନ୍ତି । ମକର ସଂକ୍ରାନ୍ତିରେ ଶୁଭ ମୁହୁର୍ତରେ ସ୍ନାନ ଓ ଦାନ କଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ସେପଟେ ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହଟକେଶ୍ୱର ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ଶୈବପୀଠରେ ରହିଛି ଉଷ୍ଣ ପ୍ରସ୍ରବଣ କୁଣ୍ଡ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ବାହାରୁଥିବା ପାଣିରେ ଗାଧୋଇଲେ ଚର୍ମରୋଗ ଦୂର ହୋଇଥାଏ । ସେହିପରି ଏଠାରେ ମକର ମେଳାରେ ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜା ପର୍ବ ଅନୁଷ୍ଠିତ ହୁଏ ।

ମକର ସଂକ୍ରାନ୍ତିରେ ଯୋଡାରେ ମଧ୍ୟ କେଶରୀ କୁଣ୍ଡରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ସକାଳୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଏଠାରେ ବୁଡ ପକାଉଛନ୍ତି । କେନ୍ଦୁଝରର ବୈତରଣୀ ନଦୀ କୂଳରେ ରହିଛି କେଶରୀ କୁଣ୍ଡ । ବିଶାଳକାୟ ପଥର ଭିତରେ ରହିଛି ଏହି କେଶରୀ କୁଣ୍ଡ । ତା ଭିତରେ ରହିଛି ପାଣି । ବିଶ୍ୱାସ ରହିଛି ମକର ସଂକ୍ରାନ୍ତିରେ ଏହି କେଶରୀ କୁଣ୍ଡରେ ବୁଡ ପକାଇଲେ ମନସ୍କାମନା ପୂରଣ ହୋଇଥାଏ । ପାପ କ୍ଷୟ ହୋଇଥାଏ । ମକର ଅବସରରେ ଏଠାରେ ବୁଡ ପକାଇବା ସହିତ ମେଳା ବୁଲିବାର ମଜା ନେଉଛନ୍ତି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ।

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ବି ଚାଲିଛି ମହାପ୍ରଭୁଙ୍କ ମକରନୀତି । ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ଶ୍ରୀମନ୍ଦିରରେ ଏହି ଅବସରରେ ମାଳଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମକରସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୋର ୩ଟାରେ ଦ୍ୱାରଫିଟା ନୀତି ହୋଇଛି । ଏହା ପରେ ସାଢ଼େ ୩ ଟାରେ ମଙ୍ଗଳ ଆଳତୀ ପରେ ସକାଳ ୮ ଟା ସୁଦ୍ଧା ସକାଳ ଧୂପ ସରିବା ସହ ମକରବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅପରାହ୍ନ ଗୋଟାଏରେ ମକରବେଢା ହେବା ସହ ଭକ୍ତ ପାଇବେ ମକର ଚାଉଳ । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦର୍ଶନ ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇଛି । ବଡ଼ ଓଡ଼ିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ବିଭିନ୍ନ ସୁବାଶିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଓ ଚୁଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକରସଂକ୍ରାନ୍ତି ଦିନଠାରୁ ବନ୍ଦ ହୋଇଥାଏ । କାରଣ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତିଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ସକାଳୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ । ଆଉ ଏବେ ଲକ୍ଷ୍ମୀ ସାଆନ୍ତାଣୀ ଫେରିଥିବାରୁ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କ ହାତ ରନ୍ଧା ଖାଇବେ ବୋଲି ବିଧି ରହିଛି । ତେଣୁ ଆଜି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଚାଲିଛି ।