ମକର ସଂକ୍ରାନ୍ତି ପାଇଁ ଗଜପତିରେ କଟକଣା ଲଗାଇଲା ପ୍ରଶାସନ: ସୀତା ପାହାଡ଼ରେ ଲୋକଙ୍କ ଗହଳି ଆଶଙ୍କାରେ ଏସଓପି ଜାରି

ଆଗାମୀ ୧୪ରୁ ୧୬ ତାରିଖ ଯାଏଁ କୋଭିଡ଼ କଟକଣା ଭିତରେ ଉତ୍ସବ ପାଳିବାକୁ ନିର୍ଦ୍ଦେଶ

215

କନକ ବ୍ୟୁରୋ: ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ପାଇଁ ଏସଓପି ଜାରି କରାଯାଇଛି ।

ବିଶେଷ କରି ଜିଲ୍ଲାର ଗୋଷାଣୀ ବ୍ଲକ ସୀତା ପାହାଡରେ ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ଏହି କଟକଣା ଜାରି କରିଯାଇଛି । ୧୪ରୁ ୧୬ ତାରିଖ ଯାଏଁ ମକର ସଂକ୍ରାନ୍ତି ଅବସରରେ ସୀତା ପାହାଡରେ ପୂଜାର୍ଚ୍ଚରା ସହ ଉତ୍ସବ ପାଳନ ଓ ଗୁଡିଉଡା ପାଇଁ ପ୍ରବଳ ଗହଳି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କହିଛି ଯେ, କୋଭିଡ ନୟମକୁ ମାନି ଉତ୍ସବ ପାଳନ ପାଇଁ ଅନୁମତି ଦିିଆଯିବ । ଅର୍ଥାତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ହାତ ଧୋଇବା ଭଳି କୋଭଡ ସତର୍କତା ଭିତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିବାକୁ ଏହି ଏସଓପି ଜାରି କରାଯାଇଛି ।