ଆଜି ପବିତ୍ର ମକର ସଂକ୍ରାନ୍ତି : ସାରା ଦେଶରେ ଉତ୍ସବର ମାହୋଲ୍; ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

474

କନକ ବ୍ୟୁରୋ : ଆଜି ମକର ସଂକ୍ରାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି । ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ । ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଅଟ୍ରି ହଟେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମହାଦେବଙ୍କ ଦର୍ଶନ ସହ ଏଠି ଥିବା ପବିତ୍ର କୁଣ୍ଡର ଜଳ ପାଇଁ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମକର ସଂକ୍ରାନ୍ତରେ ଏଠି ମକରମେଳା ଧୁମଧାମରେ ପାଳନ ହେବାକୁ ଯାଉଛି । ଏହି ଶୈବପୀଠରେ ଥିବା ଉଷ୍ଣପ୍ରସ୍ରବଣ କୁଣ୍ଡ ଶ୍ରଦ୍ଧାଳୁଙ୍କ ବିଶେଷ ଭାବେ ଆକର୍ଷିତ କରିଥାଏ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ବାହାରୁଥିବା ପାଣିରେ ଗାଧୋଇଲେ ଚର୍ମରୋଗ ଦୂର ହେବାର ବିଶ୍ୱାସ ରହିଛି । ସେହିପରି ଏଠାରେ ମକର ମେଳାରେ ସନ୍ତାନ ପ୍ରାପ୍ତି ଆଶାରେ ଗୁଆ ଖୋଜା ପର୍ବ ଅନୁଷ୍ଠିତ ହୁଏ ।

ଅନ୍ୟପଟେ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକରନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା ହୋଉଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ମକରବେଢ଼ା । ଏହି ଅବସରରେ ମାଳଚୁଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାରେ ଲାଗିଛି ।

ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡ଼ ଓଡ଼ିଆ ମଠ ପକ୍ଷରୁ ରଙ୍ଗବେରଙ୍ଗର ବିଭିନ୍ନ ସୁବାଶିଷ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳଚୁଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ପହିଲି ଭୋଗ ମକରସଂକ୍ରାନ୍ତି ଦିନଠାରୁ ବନ୍ଦ ହୋଇଥାଏ । କାରଣ ମା ଲକ୍ଷ୍ମୀ ଧନୁ ସଂକ୍ରାନ୍ତିଠାରୁ ନିଜ ବାପଘରକୁ ଯାଇଥିବାରୁ ମା ବିମଳା ନିଜ ପୁତ୍ରପାଇଁ ସକାଳୁ ପହିଲି ଭୋଗ ପ୍ରସ୍ତୁତ କରୁଥିଲେ । ଆଉ ଏବେ ଲକ୍ଷ୍ମୀ ସାଆନ୍ତାଣୀ ଫେରିଥିବାରୁ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କ ହାତ ରନ୍ଧା ଖାଇବେ ବୋଲି ବିଧି ରହିଛି ।