ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ନୀତି ପାଳିତ: ମାଳ ଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଠାରୁ ସୂର୍ଯ୍ୟଙ୍କ ଆରମ୍ଭ ହେଉଛି ଉତ୍ତରାୟଣ ଗତି

200

କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତିରେ ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି । ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ଯାତ୍ରା । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିଘଂଟ କରଯାଇଛି । ମାଳ, ଚୁଳ ଅଳଙ୍କାର ପିନ୍ଧି ମକର ଚୌରାଶୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଗତକାଲି ରାତିରୁ ଆଲମଚଣ୍ଡି ପକ୍ଷରୁ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ମକର ତାଡ଼ ଯୋଗାଇ ଦିଆଯାଇଛି । ସେହିପରି ମହାପ୍ରଭୁଙ୍କ ମକର ବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ମାଳ ଚୁଳ ଏବଂ ବଡ଼ ବଡ଼ିଆ ମଠ ପକ୍ଷରୁ ସୁବାଷିତ ଫୁଲ ତୁଳସୀ ଆଦି ନେଇ ପ୍ରସ୍ତୁତ ମାଳ, ଚୁଳ ଶ୍ରୀଜିଉଙ୍କୁ ଲାଗି କରାଯାଇଛି । କରୋନା କଟକଣା ଭିତରେ ଶ୍ରୀମନ୍ଦିରକୁ ଭକ୍ତ ପ୍ରବେଶ କରି ମହାପ୍ରଭୁଙ୍କ ଏହି ବିରଳ ବେଶକୁ ଦର୍ଶନ କରୁଛନ୍ତି ।

ସେପଟେ, ଆଜି ପବିତ୍ର ମକର ସଂକ୍ରାନ୍ତି । ଆସ୍ଥା ଓ ଧର୍ମୀୟ ବିଶ୍ୱାସର ଦିନ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସ୍ଥିତି ଅଟ୍ରି ଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଛୁଆ ପାଇଁ କୁଣ୍ଡରେ ଗୁଆ ଖୋଜିଛନ୍ତି ମାନସିକଧାରୀ ମହିଳା । ଅଟ୍ରିର ହଟକେଶ୍ୱର କୃପା ହେଲେ ଅପୁତ୍ରିକ ପୁତ୍ର ସନ୍ତାନ୍ତ ପାଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ଏଣୁ ପବିତ୍ର ମକର ସଂକ୍ରାନ୍ତିରେ ମହାଦେବ ହଟେକଶ୍ୱରଙ୍କୁ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ ।