କେନ୍ଦ୍ରାପଡାରେ ଧରାଶାୟୀ ହେଲେ ବୈଜୟନ୍ତ । ପଲଟିଲା ବାଜି, ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ବିଜୟ ହେଲେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ।

507

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମାଟି କାମୁଡିଲେ ବୈଜୟନ୍ତ ପଣ୍ଡା । ସତ ହେଲା ଏକଜିଟ୍ ପୋଲର ରିପୋର୍ଟ । ବିପୁଳ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଫେଲ ମାରିଲା ବିଜେପିର ସବୁ ରଣନୀତି । ଅନୁଭବଙ୍କ ଲୋକପ୍ରିୟତା ଆଗରେ କାମ ଦେଲାନି ବିଜେଡିରୁ ବହିଷ୍କୃତ ଏହି ବରିଷ୍ଠ ନେତାଙ୍କ ଅଙ୍କକଷା । ସବୁ ଗଣିତ ଭୁଲ ହୋଇଗଲା ।

କେନ୍ଦ୍ରାପଡାରେ ବୈଜୟନ୍ତ ଧରାଶାୟୀ । ବୈଜୟନ୍ତଙ୍କୁ ପ୍ରତ୍ୟାଖାନ କଲା କେନ୍ଦ୍ରାପଡା । ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ନେତା ବୈଜୟନ୍ତ ପଣ୍ଡା । ରାଜନୈତିକ ପଶାପାଲିରେ ଗୋଟିଚାଳନାରେ ମାହିର ଏହି ବରିଷ୍ଠ ନେତାଙ୍କ ସବୁ ଅଙ୍କ ଭୁଲ ହୋଇଯାଇଛି । ରାଜନୀତିର ମିଶାଣ ଫେଡାଣ ଭିତରେ କେନ୍ଦ୍ରାପଡାରେ ବାଜି ଓଲଟି ଯାଇଛି । ଲକ୍ଷାଧିକ ଭୋଟରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ହାରିଯାଇଛନ୍ତି ବୈଜୟନ୍ତ । ସେପଟେ ନିଜ ବିଜୟ ପାଇଁ ଜନତାଙ୍କୁ ସବୁ ଶ୍ରେୟ ଦେଇଛନ୍ତି ଅନୁଭବ ମହାନ୍ତି ।

ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କେନ୍ଦ୍ରାପଡାରେ ଅନୁଭବଙ୍କ ପଲ୍ଲା ଭାରି ଥିଲା । ଏବଂ ବୈଜୟନ୍ତ ଏକ ପ୍ରକାର ହାରୁଥିବା ନେଇ ପ୍ରକାଶ ପାଇଥିଲା ରିପୋର୍ଟ । ଆଉ ସେତିକିବେଳେ ବୈଜୟନ୍ତ ଏକଜିଟ୍ ପୋଲର ରିପୋର୍ଟକୁ ମଧ୍ୟ ସହଜରେ ଗ୍ରହଣ କରିପାରିନଥିନଲେ । ମେ ୨୩କୁ ଅପେକ୍ଷା କରିବା ପାଇଁ କହିଥିଲେ ବୈଜୟନ୍ତ ।

ଆଉ ଏକଜିଟ୍ ପୋଲ ରିପୋର୍ଟ ଆସିବା ପରେ ପ୍ରତିକ୍ରିୟା ରଖି ବୈଜୟନ୍ତ କହିଥିଲେ, କେନ୍ଦ୍ରାପଡା ପାଇଁ ସେ କାମ କରିଛନ୍ତି । କେନ୍ଦ୍ରାପଡାବାସୀଙ୍କ ଉପରେ ତାଙ୍କର ଭରସା ଏବଂ ବିଶ୍ୱାସ ରହିଛି । ତେଣୁ ଫଳାଫଳ ତାଙ୍କୁ ନିରାଶ କରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ବୈଜୟନ୍ତ । ହେଲେ ସବୁ ଫସର ଫାଟିଗଲା । ଭୋଟ ଗଣତି ଆରମ୍ଭ ହେବାର ପ୍ରଥମ ରାଉଣ୍ଡରୁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଂଛା ଲାଗିରହିଥିଲେ ମଧ୍ୟ ଧୀରେ ଧୀରେ ରାଉଣ୍ଡ ବଢିବା ସହିତ ବୈଜୟନ୍ତ ପଛେଇଥିଲେ । ଆଉ ବଢିଯାଇଥିଲା ଭୋଟ ବ୍ୟବଧାନ । ଭୋଟ ଗଣତି ସରିବାର କିଛି ରାଉଣ୍ଡ ପୂର୍ବରୁ ଆସିଯାଇଥିଲା କେନ୍ଦ୍ରାପଡାର ସ୍ପଷ୍ଟ ଚିତ୍ର । ଆଉ ବିଜେଡି ପ୍ରାର୍ଥୀ ଏହି ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ।

୨୦୧୪ରେ ବିଜେଡିର ବୈଜୟନ୍ତ ପଣ୍ଡା ୨ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୪ଥର ସାଂସଦ ବି ରହିସାରିଛନ୍ତି ବୈଜୟନ୍ତ । ୨୦୦୯ ଏବଂ ୨୦୧୪ରେ କେନ୍ଦ୍ରାପଡା ସାଂସଦ ଥିଲେ ଏହି ବରିଷ୍ଠ ନେତା । ବିଜେଡିରୁ ବହିଷ୍କାର ପରେ ବିଜେପିରେ ଯୋଗ ଦେଇଥିଲେ ଆଉ ବନିଥିଲେ ବିଜେପି ରାଷ୍ଟ୍ରୀୟ ଉପସଭାପତି ଏବଂ ବିଜେପି ମୁଖପାତ୍ର । ୨୦୧୯ ନିର୍ବାଚନରେ କେନ୍ଦ୍ରାପଡାବାସୀଙ୍କ ସମର୍ଥନ ପାଇପାରିଲେନି ବୈଜୟନ୍ତ । ଶେଷରେ ନିଜ ରାଜନୈତିକ କ୍ୟାରିୟର ମଧ୍ୟରେ ପ୍ରଥମଥର ପାଇଁ ହାରିବାକୁ ପଡିଲା ଏହି ବରିଷ୍ଠ ନେତାଙ୍କୁ । ୨୦୧୯ର ଏହି ପରାଜୟ ପରେ ଦଳ ଭିତରେ ନିଜର ଉପସ୍ଥିତି ଜାହିର କରିବା ପାଇଁ କି ରଣନୀତି ଆପଣାଉଛନ୍ତି ବୈଜୟନ୍ତ ଏବେ ତା ଉପରେ ସମସ୍ତଙ୍କ ନଜର ।