କନକ ବ୍ୟୁରୋ : ବାଲେଶ୍ଵର ପଣାପଣା ସମବାୟ ସମିତିରେ କୋଟିକୋଟି ଟଙ୍କାର ଘୋଟାଲା ସାମ୍ନାକୁ ଆସିଛି । ଗରିବ ଶ୍ରେଣୀର ଲୋକେ ଆଶାଭରସା ନେଇ ଏଠାରେ ଲକ୍ଷଲକ୍ଷ ଟଙ୍କା ରଖିଥିବା ବେଳେ ବର୍ତମାନ ନିଜ ଜମା ଟଙ୍କା ପାଇବାକୁ ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଭିଜିଲାନ୍ସ ମଧ୍ୟ ଚୁପ୍ ହୋଇ ବସିଛି । ବର୍ଷ ପରେ ବର୍ଷ ବିତି ଯାଇଛି । ହେଲେ ୪୦୦୦ ରୁ ଉର୍ଦ୍ଧ ଜମାକାରୀ ସେମାନଙ୍କ ଟଙ୍କା ପାଇ ପାରୁନାହାଁନ୍ତି । ବାରମ୍ବାର ଗୁହାରି ଏପରିକି ଗୋଡ଼ ତଳେ ପଡ଼ି ନିଜ ଜମା ଟଙ୍କା ଫେରାଇ ଦେବାକୁ ଗୁହାରି କରିଛନ୍ତି ଲୋକେ । କିନ୍ତୁ ମାମଲା ଅଟକିଛି ତଦନ୍ତରେ ।
ପେଟ କାଟି ସଂଚୟ କରିଥିଲେ । ଆଉ ସେହି ଜମା ରାଶି ଫେରିପାଇବାକୁ ଏବେ ସମବାୟ ଡେପୁଟି ରେଜିଷ୍ଟ୍ରାରଙ୍କ ଗୋଡ଼ ତଳେ ପଡିଯାଉଛନ୍ତି । ବାଲେଶ୍ଵର ପଣାପଣା ସମବାୟ ସମିତିରେ ଟଙ୍କା ଜମା ରଖିବା ସତେ ଯେମିତି ଜମାକାରୀଙ୍କ ଜୀବନର ସବୁଠୁ ବଡ଼ ଭୁଲ ହୋଇଯାଇଛି ।
ବେତଗଢ଼ିଆ ଗାଁ ପ୍ରଭାକର ଶତପଥୀ। ୨୦୦୩ ମସିହାରେ ପଣପଣା ସମବାୟ ସମିତିରେ ୪ ଲକ୍ଷ ଟଙ୍କା ଜମା ରଖିଥିଲେ । ଦୁର୍ନୀତି ଖବର ପାଇ ଖାତା ଯାଂଚ କରିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଛି । ଅର୍ଣ୍ଣପୂର୍ଣା ମହାନ୍ତି, ଝିଅର ପାଠ ପଢା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ୨୦୧୬ ମସିହା ଜୁନ ମାସରେ ଜମା ରଖିଥିଲେ । ହେଲେ ଏବେ ମାଚ୍ୟୁରିଟି ସତ୍ତ୍ୱେ ଟଙ୍କା ପାଇପାରୁ ନାହାନ୍ତି ।
କେବଳ ପ୍ରଭାକର କି ଅର୍ଣ୍ଣପୂର୍ଣ୍ଣା ନୁହଁନ୍ତି, ଏମିତି ୪ ହଜାର ଜମାକାରୀଙ୍କ ଟଙ୍କା ହଡପ କରିଛନ୍ତି ପଣପଣା ସମବାୟ ସମିତିର ଦୁର୍ତିନୀଗ୍ରସ୍ତ ଅଧିକାରୀ । ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ ।
ସେପଟେ ହାତ ଟେକି ଦେଇଛି ସମବାୟ ବ୍ୟାଙ୍କ । ତଥ୍ୟ ପାଇଲେ ବି ଭିଜିଲାନ୍ସ ଚୁପ୍ । ଦୁର୍ନୀତି ଅଭିଯୋଗ ପରେ ସମବାୟ ସେକ୍ରେଟାରୀଙ୍କୁ ନିଲମ୍ୱିତ କରି ହାତ ଟେକି ଦେଇଛି ସମବାୟ ବ୍ୟାଙ୍କ । ଅନ୍ୟପଟେ ଏହି ମାମଲା ଭିଜିଲାନ୍ସ ପାଖରେ ପହଞ୍ଚିଛି । ଏନେଇ ୨୦୨୧ ମସିହାରୁ ସମବାୟ ବ୍ୟାଙ୍କ ଦୁର୍ନୀତି ସଂପର୍କିତ ତଥ୍ୟ ଭିଜିଲାନ୍ସକୁ ଦେଇଛି । ପ୍ରାୟ ୧୪ କୋଟି ଟଙ୍କା ହେରଫେର ହୋଇଛି, କେଉଁମାନଙ୍କ ସଂପୃକ୍ତି ରହିଛି ସବୁ ତଥ୍ୟ ବ୍ୟାଙ୍କ ଦେଇଛି । ହେଲେ ଭିଜିଲାନ୍ସ ଚୁପ ବସିଛି । ସେପଟେ ସମବାୟ ବ୍ୟାଙ୍କ ଅଧିକାରୀ କହୁଛନ୍ତି ଘଟଣାର ତଦନ୍ତ ଚାଲୁଛି ।
ବାଲେଶ୍ୱର ପଣପଣା ସମବାୟରେ ଟଙ୍କା ରଖି ହରଡ଼ଘଣାରେ ପଡିଛନ୍ତି ୪ ହଜାର ଜମାକାରୀ । କେବେ ତାଙ୍କ ଟଙ୍କା ଫେରିପାଇବେ ତାହାର ଉତ୍ତର କାହା ପାଖରେ ନାହିଁ ।