କନକ ବ୍ୟୁରୋ : ୧୦ ଲକ୍ଷ ଟଙ୍କାରେ ସରକାରୀ ଚାକିରି । ନିଯୁକ୍ତି ଆଶୟୀଙ୍କୁ ଚାକିରି କରାଇଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଦଲାଲ ଠକେଇ କରିଛନ୍ତି । ଏଭଳି ଏକ ଠକେଇ ମାମଲା ପର୍ଦାଫାଶ କରିବା ସହ ୯ ଜଣ ଦଲାଲଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ । ଚାକିରୀ ପାଇଁ ଡିଲ୍ ଚଲାଇଥିବା ବେଳେ ପୁଲିସ ଚଢାଉ କରି ୯ ଜଣ ଆନ୍ତଃରାଜ୍ୟ ଦଲାଲଙ୍କୁ ଗିରଫ କରିଛି । କେନ୍ଦ୍ର ସରକାରଙ୍କ କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା ପାଇଁ ଉତ୍ତର ଯୋଗାଇବା ନାଁରେ ଡିଲ ହେଉଥିଲା ।

Advertisment

ଏହି ସମୟରେ ପୁଲିସ ଚଢାଉ କରିଥିଲା । ୮୮ ଜଣ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଜଣାପଡ଼ିଛି । ଏହା ସହ ଚାରିଟି କାର, ଗୋଟିଏ ବସ୍, ଦୁଇଟି ମିନି ବସ୍, ୧୫ ମୋବାଇଲ ଓ କିଛି ବ୍ଲାଙ୍କ ଚେକ୍ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଭୋଗରାଇ ଅଂଚଳର ମେରାଇନ ଥାନା ଅନ୍ତର୍ଗତ ଓଡିଶା ସୀମାନ୍ତରେ ଥିବା ଏକ ହୋଟେଲରେ ପ୍ରାୟ ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରଶ୍ନପତ୍ର ଓ ଉତର ଯୋଗାଇବା ପାଇଁ ଡକାଯାଇଥଲା ଏବଂ ସେଥିପାଇଁ ମୋଟାଅଙ୍କର ଟଙ୍କା ଦାବି କରାଯାଇଥିଲା ।

ପୁଲିସର କହିବା ଅନୁସାରେ, ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ୮ରୁ ୧୬ ଲକ୍ଷ ଟଙ୍କାର ଡିଲ ହୋଇଥିଲା । ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଏହି ଛାତ୍ରଛାତ୍ରୀ ଆସିଥିଲେ । ଖବର ପାଇଁ ସ୍ୱତନ୍ତ୍ର ଟିମ ହୋଟେଲରେ ଚଢାଉ କରି ଛାତ୍ରଛାତ୍ରୀ ଓ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରୁଛି । ଦଲାଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏହାଛଡା ଓଡିଶାରୁ ୫, ଆନ୍ଧ୍ରରୁ ଜଣେ ଓ ବିହାରରୁ ୩ ଜଣ ଦଲାଲ ଥିବା ଜଣାପଡିଛି । ଓଡିଶାରେ ଏହି ସ୍କାମର ମାଷ୍ଟରମାଇଣ୍ଡ ଖୋର୍ଧା ଅଂଚଳର ସୌମ୍ୟ ବୋଲି ଜଣାପଡିଛି । ଅଟକ ପରେ ୮୮ଜଣ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇଦିଆଯାଇଛି ।