ଭୂତ ଉଠାଉଛି ଭତ୍ତା ଟଙ୍କା । ସୁନ୍ଦରଗଡରୁ ଆସିଲା ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ହଡପର ସାଙ୍ଘାତିକ ଅଭିଯୋଗ । ଭତ୍ତା କାର୍ଡ ସହ ଆଧାର ଲିଙ୍କ ପରେ ସାମ୍ନାକୁ ଆସିଲା ସତ

318

କନକ ବ୍ୟୁରୋ: ଭୂତ ନେଉଛି ଭତ୍ତା ଟଙ୍କା ? ସୁନ୍ଦରଗଡ଼ରୁ ଆସିଲା ଦୁର୍ନୀତିର ବଡ଼ ଚିତ୍ର । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଭୀମକୁଟା ଗାଁର ଫିଲମନ କେରକେଟା । ଫିଲମନଙ୍କ ମାଆ ଜୁଲିଆ କେରକେଟା ୨୦୧୬ରେ ଏବଂ ସ୍ତ୍ରୀ ଆନ୍ତୋନିଆ କେରକେଟା ଦେଢବର୍ଷ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି । କିନ୍ତୁ ସେମାନଙ୍କ ନାଁରେ ଆଜି ଯାଏଁ ଭତ୍ତା ଟଙ୍କା ଉଠୁଛି । ଏମାନଙ୍କ ଭଳି କୁରେଇ ପଚାଂୟତରେ ୪୯ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠୁଥିବା ତଥ୍ୟ ପଦାକୁ ଆସିଛି । ତେବେ ତାଲିକାର ୨୭ ନମ୍ବର କ୍ରମାଙ୍କରେ ଆନ୍ତୋନିଆ କେରକେଟା ଏବଂ ୧୭୯ ନମ୍ବର କ୍ରମାଙ୍କରେ ଜୁଲିଆ କେରକେଟା ଓ ୩୮୯ ନମ୍ବର କ୍ରମାଙ୍କରେ ମୃତ ସେଲିନା କୁଲୁଙ୍କୁ ଭତ୍ତା ଦିଆଯାଉଥିବା ଦର୍ଶାଯାଇଛି । ତେବେ ଏହି ଭତ୍ତା ଟଙ୍କା ହିତାଧିକାରୀଙ୍କ ପରିବାର ବର୍ଗ ପାଉନଥିବା ବେଳେ ଟଙ୍କା ଯାଉଛି କୁଆଡେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଭତ୍ତା ସହ ଆଧାର ଲିଙ୍କ ହେଲା, ଭତ୍ତା ଟଙ୍କା ହଡ଼ପର ଗୁମର ଫିଟିଲା । ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଭତ୍ତା କାର୍ଡକୁ ପଂଚାୟତ କର୍ତୃପକ୍ଷ ଜବତ କରିଥାନ୍ତି । ତେବେ ପଂଚାୟତ କର୍ତୃପକ୍ଷ ମୃତ ବ୍ୟକ୍ତିଙ୍କ ଭତ୍ତା କାର୍ଡ ନେଇ ଯାଉଥିବା ବେଳେ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠିଲା କେମିତି? ଆଉ ସେ ଟଙ୍କା ନେଉଛି କିଏ ? ଭତ୍ତା ଟଙ୍କା ହଡପ ଏତିକିରେ ଅଟକି ନାହିଁ । ପଚାଂୟତରେ ଜୀବିତ ହିତାଧିକାରୀ ବି ଠକାମୀର ଶିକାର ହୋଇଛନ୍ତି । ୨୦୧୮ରେ ଭତ୍ତା ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ୨୦୧୯ରୁ ଟଙ୍କା ଦିଆଯାଇଛି ।

କିନ୍ତୁ ସରକାରୀ ଦସ୍ତାବିଜରେ ୨୦୧୮ରୁ ଟଙ୍କା ଦିଆଯାଉଥିବା ଦର୍ଶାଯାଇଛି । ଆଉ ଏହି ସବୁ ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଭତ୍ତାକୁ ଆଧାର ଲିଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ଆଉ ଏହାସହ ଏସବୁ କଳା କାରନାମା ପଛରେ ଥିବା ସ୍ଥାନୀୟ ସରପଂଚ, ପଂଚାୟତ ଅଧିକାରୀ ଓ ଜିଆରଏସ୍ଙ୍କ ଅସଲ ମୁଖା ପଦାରେ ପଡିଛି । ତେବେ ଭତ୍ତା ହଡପ ସଂପର୍କରେ ସୁନ୍ଦରଗଡ ଉପଜିଲ୍ଲାପାଳ କହିଛନ୍ତି ଏହା ଏକ ସମ୍ବେଦନଶୀଳ ଘଟଣା । ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।