ଘରେ ଲୁଚାଇ ରଖିଥିଲେ ପୁଳା ପୁଳା ଟଙ୍କା, ଧରିଲା ଭିଜିଲାନ୍ସ । ଜାଣନ୍ତୁ କାହା ଘରୁ ମିଳିଛି କେତେ ଟଙ୍କା, କିଏ ରହିଛି ଟପରେ?

376

କନକ ବ୍ୟୁରୋ : ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଥିବା ବେଳେ ୨ହଜାର ଟଙ୍କିଆ ରୁପା ନୋଟ ଜବତ ହୋଇଛି । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ସମ୍ପତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସନ୍ତୋଷଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ଠାବ ହେଲାଣି ନଗଦ ୪୧ ଲକ୍ଷରୁ ଅଧିକ ଟଙ୍କା ।

ତେବେ ଏସବୁ ଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ ଗତ କିଛି ଦିନ ଭିତରେ ଭିଜିଲାନ୍ସ ରେଡରେ ଅଧିକ ଟଙ୍କା ଜବତ ହୋଇଥିବା ମାମଲାରେ ଟପରେ ରହିଛନ୍ତି ସନ୍ତୋଷ କୁମାର ଦାସ । ଗୁରୁବାର ଭିଜିଲାନ୍ସ ସନ୍ତୋଷଙ୍କ ଘରେ ଚଢାଉ କରିଥିବା ବେଳେ ଏବେ ସୁଦ୍ଧା ମୋଟ ୪୧.୭୭ ଲକ୍ଷ ନଗଦ ଟଙ୍କା ମିଳିଛି । ସେହିଭଳି ଗତ କିଛିଦିନ ପୂର୍ବେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ପ୍ରତାପଙ୍କ ଘରୁ ଭିଜିଲାନ୍ସ ନଗଦ ୩୮,୧୨, ୯୦୦ ଟଙ୍କା ଜବତ କରିଥିଲା । ଆଉ ଏହି ତାଲିକାରେ ପ୍ରତାପ ଟପ୍-୨ରେ ରହିଛନ୍ତି ।

ଅକ୍ଟୋବର ମାସରେ ଭିଜିଲାନ୍ସ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ସମୟରେ ବାଲେଶ୍ୱରରେ ତାଙ୍କ ଘରୁ ୧୬ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରାଯାଇଥିଲା । ଆଉ ଭିଜିଲାନ୍ସ ଦ୍ୱାରା ସର୍ବାଧିକ ନଗଦ ଟଙ୍କା ଜବତ ତାଲିକାରେ ନରୋତ୍ତମ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ଭବାନୀପାଟଣାର ସ୍ପେଶାଲ ପିପି ଆଶୁତୋଷ ମିଶ୍ର । ଜୁଲାଇ ମାସରେ ହୋଇଥିବା ଚଢାଉରେ ଆଶୁତୋଷଙ୍କ ଘରୁ ୧୫ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଥିବା ଅଧିକ ଟଙ୍କା ତାଲିକାର ଟପ୍-୫ ନମ୍ବର ସ୍ଥାନରେ ବାଲିଗୁଡା ପିଏ ଆଇଟିଡିଏର ମୁଖ୍ୟ କିରାଣୀ ବସନ୍ତ ପାଣି ରହିଛନ୍ତି ।  ବସନ୍ତଙ୍କ ଘରୁ ଭିଜିଲାନ୍ସ ନଗଦ ୧୩ ଲକ୍ଷ ୨୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସେହିଭଳି ବହୁ ଚର୍ଚ୍ଚିତ ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରି ନଗଦ ୧୨ ଲକ୍ଷ ୪୬ ହଜାର ଟଙ୍କା ଜବତ କରିଥିଲା । ଆଉ ଏହି ତାଲିକାରେ ବିରଞ୍ଚି  ଟପ୍-୬ରେ ରହିଛନ୍ତି ।  ଟପ୍-୭ରେ ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ରହିଛନ୍ତି । ବିଧାନଙ୍କ ଘରେ ଚଢାଉ କରିବା ସହ ଭିଜିଲାନ୍ସ ନଗଦ ୧୦ ଲକ୍ଷ ୭ ହଜାରରୁ ଅଧିକ ଟଙ୍କା ଜବତ କରିଥିଲା ।