କନକ ବ୍ୟୁରୋ : ସମାଜବାଦୀ ପାର୍ଟି ପକ୍ଷରୁ ମୈନପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ନିର୍ବାଚନ ଲଢିବେ । ଏହି ଆସନ ମୁଲାୟମସିଂ ଯାଦବଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା । କହିରଖୁ କି ମୈନପୁରୀ ଆସନରେ ମୁଲାୟମଙ୍କ ପରିବାର ଲୋକେ ଅନେକ ବର୍ଷ ହେବ ରାଜ୍ କରୁଛନ୍ତି । ଏହି କ୍ରମରେ ମୁଲାୟମ ସିଂଙ୍କ ଗଡ ଏବେ ବୋହୂ ଡିମ୍ପଲ ସମ୍ଭାଳିବେ ବୋଲି କୁହାଯାଉଛି ।

Advertisment

୪୪ ବର୍ଷିୟା ଡିମ୍ପଲ ଯାଦବ ପ୍ରଥମଥର ପାଇଁ ୨୦୦୯ ରେ ଲୋକସଭା ନିର୍ବାଚନ ଲଢିଥିଲେ । ସେତେବେଳେ ଅଖିଳେଶ ଫିରୋଜାବାଦ ଆସନ ଛାଡି ଦେଇଥିଲେ । ଏହି ନିର୍ବାଚନରେ ଡିମ୍ପଲ ପ୍ରସିଦ୍ଧ ଅଭିନେତା ରାଜ ବବରଙ୍କୁ ଟକ୍କର ଦେଇଥିଲେ । ଏହାପରେ ୨୦୧୨ ରେ କେନୌଜ ଲୋକସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା । ଏଥିରେ ଡିମ୍ପଲ ବିନା ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ ।

ସେପଟେ ୨୦୧୪ ଲୋକସଭା ନିର୍ବାଚନରେ କନୌଜ ଆସନରୁ ଡିମ୍ପଲ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଡିମ୍ପଲ ପରାଜିତ ହୋଇଥିଲେ । ବିଜେପିର ସୁବ୍ରତ ପାଠକ ଡିମ୍ପଲଙ୍କୁ ୧୦ ହଜାର ଭୋଟରେ ପରାଜିତ କରିଥିଲେ । ହେଲେ ଏବେ ଡିମ୍ପଲ ଯେଉଁ ମୈନପୁରୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି ସେଠାରେ ୧୯୯୬ ମସିହାରୁ ସମାଜବାଦୀ ପ୍ରାର୍ଥୀ କ୍ରମାଗତ ବିଜୟୀ ହେଉଛନ୍ତି ।