ଟ୍ୱିଟର ଟ୍ରେଣ୍ଡରେ ପଛରେ ପଡିଲା ଚୌକିଦାର ଚୋର ହେ ! ୧୫ ଲକ୍ଷରୁ ଅଧିକଥର ଟ୍ରେଣ୍ଡ ହେଲା ‘ମେ ଭି ଚୌକିଦାର’ ଅଭିଯାନ ।

656

ଲୋକସଭା ନିର୍ବାଚନର ତାରିଖ ଯେଭଳି ପାଖେଇ ଆସୁଛି ରାଜନୀତିକ ମାହୋଲ୍ ମଧ୍ୟ ସେତିକି ସରଗରମ୍ ହୋଇଯାଇଛି । କଂଗ୍ରେସ ଏବଂ ବିଜେପି ଉଭୟ ସୋସିଆଲ୍ ମିଡିଆରେ ବଳ କଷାକଷି ହେବାରେ ଲାଗି ପଡିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କ୍ୟାମ୍ପେନ୍ ‘ଚୌକିଦାର ଚୋର ହେ’ ର ନାରା ପରେ ବିଜେପି ମଧ୍ୟ ‘ମେ ଭି ଚୌକିଦାର’ କ୍ୟାମ୍ପେନ୍ ଆରମ୍ଭ କରିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସମେତ ସବୁ ବିଜେପି ନେତା ନିଜ ନାଁ ଆଗରେ ଚୌକିଦାର ଶବ୍ଦକୁ ଯୋଡିଥିଲେ । ଦୁଇ ମୁଖ୍ୟ ରାଜନୈତିକ ଦଳର ବଳ କଷାକଷିରେ ବିଜେପି ଜିତିଥିବା କଥା ଜଣାପଡିଛି ।

ଟ୍ୱିଟରରେ ଛାଇଲା ‘ମେ ଭି ଚୌକିଦାର’ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ‘ମେ ଭି ଚୌକିଦାର’ ର କ୍ୟାମ୍ପେନ୍ ଆରମ୍ଭ କଲେ ଯାହା ପରେ #MainBhiChowkidar ଟ୍ରେଣ୍ଡ ହେବାକୁ ଲାଗିଲା ଏବଂ ୱାର୍ଲଡ ୱାଇଡ୍ ଏହାର ଧୁମ୍ ମଚିଲା । ଟ୍ୱିଟରରେ ଜାରି କରାଯାଇଥିବା ସୁଚନା ମୁତାବକ , ୧୬ ଏବଂ ୧୭ ମାର୍ଚ୍ଚ ଟ୍ୱିଟରରେ #MainBhiChowkidar ର ବ୍ୟବହାର ୧୫ ଲକ୍ଷ ଥର ହୋଇସାରିିଛି । ଏହାଛଡା ବିଜେପି ତରଫରୁ #ChowkidarPhirSe ଟ୍ରେଣ୍ଡ କରାଯାଇଥିଲା । ଯାହାର ବ୍ୟବହାର ମଧ୍ୟ ୪୮ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଥର ହୋଇସାରିଛି । ବିଜେପି ନେତା ,ମନ୍ତ୍ରୀ,କାର୍ଯ୍ୟକର୍ତ୍ତା ସବୁ ଏହି ଦୁଇଟି ହ୍ୟାସଟାଗ୍ ବ୍ୟବହାର କରି ଟ୍ୱିଟ୍ କରୁଛନ୍ତି ।

ପଛୁଆ ପଡିଲା କଂଗ୍ରେସର ‘ଚୌକିଦାର ଚୋର୍ ହେ ’ :

ରାଫେଲ୍ ଘୋଟାଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚୋରୀର ଅଭିଯୋଗ ଲଗାଇଥିଲେ । ଏହି କାରଣରୁ ସେ ନିଜର ସବୁ ସଭାରେ ଚୌକିଦାର ଚୋର୍ ହେ ର ନାରା ଲଗାଉଥିଲେ । ତେବେ ୧୭ ଏବଂ ୧୮ ମାର୍ଚ୍ଚର ସୂଚୀ ଅନୁସାରେ ୧,୬୯,୦୦୦ ଟ୍ୱିଟ୍ କଂଗ୍ରେସର ଟ୍ରେଣ୍ଡ୍ କରିଛି । ଯାହା ମେ ଭି ଚୌକିଦାରର ୧୦ ପ୍ରତିଶତ ।