ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କଲା ୨ଟି ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ କାହାଣୀକୁ ନେଇ ଆସିଲା ମେଁ ଅଟଳ ହୁଁ

206

କନକ ବ୍ୟୁରୋ : ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ‘ମେଁ ଅଟଳ ହୁଁ’ । ଚଳଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ମେଁ ଅଟଳ ହୁଁର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ବାଜପେୟୀ ଜଣେ ଭଲ ବକ୍ତା ହେବା ସହ କିଭଳି ଜଣେ ସଫଳ ବ୍ୟକ୍ତି ଓ ମହାନ ରାଜନେତା ହେଲେ ତାହା ଏହି ସିନେମାରେ ଚିତ୍ରଣ କରାଯାଇଛି । ପିଲାଦିନରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ପରେ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଯାତ୍ରାକୁ ଏହି ଫିଲ୍ମରେ ଦର୍ଶାଯାଇଛି । ଏହି ସିନେମା ବ୍ୟତୀତ ପରଦାକୁ ଆସିଛି ଆଉ ଏକ ଫିଲ୍ମ ସିକ୍ସ-ନାଇନ୍-ଫାଇବ୍ । ବାବ୍ରି ମସଜିଦ୍ ଭଙ୍ଗାଠାରୁ ଆରମ୍ଭ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ତିନୋଟି ପ୍ରମୁଖ ତାରିଖକୁ ନେଇ ଏହି ସିମେମାଟି ଗତିଶୀଳ ହୋଇଛି । ୬, ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ୍ ଭଙ୍ଗାଯିବା, ୯, ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ରାୟ ପ୍ରକାଶ ପାଇବା ଓ ୫ ଅଗଷ୍ଟ, ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବା ଏହି ଘଟଣାକ୍ରମକୁ ସିନେମାରେ ପ୍ରଦର୍ଶୀତ କରାଯାଇଛି । ଏହି ଦୁଇଟି ସିନେମା ମଧ୍ୟରୁ ଦର୍ଶକ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।