ଧରାପଡିଲା ପୁରୀରେ ତପସ୍ୱୀନି ଏକ୍ସପ୍ରେସରେ ନିଆଁ ଲଗାଇଥିବା ଦୁର୍ବୃତ୍ତ : ଅଭିଯୁକ୍ତ ଅଶୋକ ପ୍ରଧାନକୁ ବ୍ରହ୍ମପୁରରୁ ଗିରଫ କଲା ପୁରୀ ପୋଲିସ୍

804

କନକ ବ୍ୟୁରୋ : ପୁରୀରେ ହୋଲି ଅଘଟଣର ହେଲା ପର୍ଦ୍ଦାଫାସ । ପୁରୀରେ ହୋଲି ଦିନ ତପସ୍ୱିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ସଂପୃକ୍ତ ଅଭିଯୁକ୍ତ ବ୍ରହ୍ମପୁରର ଅଶୋକ ପ୍ରଧାନ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ ଅଭିଯୁକ୍ତ ଏହି ଦିନ ମାଦକ ଦ୍ରବ୍ୟ ସେବନ କରି ଅଗ୍ନିକାଣ୍ଡ ଘଟାଇଥିଲା । ଦିନ ୧୨ଟା ୪୫ରେ ଅଗ୍ନିକାଣ୍ଡ ଘଟି ୩ଟି କୋଚ ସଂପୂର୍ଣ୍ଣ ଜଳିଯାଇଥିଲା । ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିବାରୁ କେହି ହତାହତ ହୋଇନଥିଲେ । ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ସମୟ ହୋଇଥିଲା ମଧ୍ୟାହ୍ନ ପ୍ରାୟ ୧୨ ଟା ୫୦ ମିନିଟ୍ । ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର-୪ ରେ ଠିଆ ହୋଇଥିଲା ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ । ସନ୍ଧ୍ୟା ପ୍ରାୟ ୭ଟା ୫୫ରେ ଟ୍ରେନ୍ ହାଟିଆ ଯାଇଥାନ୍ତା । ଟ୍ରେନ୍ ଭିତରପଟୁ ଲକ୍ ଥିଲା । ବିଦ୍ୟୁତ୍ ସରବରାହ ବି ବନ୍ଦ ଥିଲା । ହଠାତ୍ ଟ୍ରେନର ସ୍ଲିପର କୋଚ୍ ଏସ୍-୪ରୁ ନିଆଁ ବାହାରିଥିଲା । ସଙ୍ଗେ ସଙ୍ଗେ ନିଆଁ ବ୍ୟାପିଯାଇଥିଲା ଅନ୍ୟ ବଗିକୁ । ପ୍ଲାଟଫର୍ମରେ ହୁତହୁତ୍ ହୋଇ ଜଳି ଯାଇଥିଲା ତପସ୍ୱୀନି ଏକ୍ସପ୍ରେସର ତିନିଟି କୋଚ୍ ।