କନକ ବ୍ୟୁରୋ: ଗିରଫ ହେଲା ରାଜଧାନୀରେ ୩ ବର୍ଷର ଝିଅକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତକାଲି ୩ ବର୍ଷର ଝିଅକୁ ସନ୍ତୋଷ ଦୁଷ୍କର୍ମ କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲା । ତାର ସହଯୋଗୀକୁ ପୋଲିସ ଅଟକ ରଖି ଜେରା କରିଥିଲା । ତେବେ ପୀଡିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି ।

Advertisment

ଏହି ଘଟଣା ପରେ ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ସରକାରୀ ଓ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଶେଷ ହେବାର ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପଡ଼ିବ। ଡାକ୍ତର ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେବ। ବିଜ୍ଞପ୍ତି ଅନୁସାରେ ଡାକ୍ତରୀମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ଆବଶ୍ୟକ। ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ୱୀକୃତି ଦରକାର।