ମଳିପଡା ନିକଟରେ ପଡିଛି ମାଈହାତୀର ମୃତଦେହ : ହାତୀମୃତ୍ୟୁର କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ

99

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ା ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ମଳିପଡ଼ା-ଦଲକା ରାସ୍ତାକଡ଼ରେ ଏକ ମାଈ ହାତୀ ମରିପଡ଼ିଥିବା ଲୋକେ ଦେଖିଥିଲେ। ସେମାନେ ଏସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର କିପରି ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରୁଛନ୍ତି। ମୃତ ମାଈ ହାତୀର ବୟସ ୧୫ରୁ ୧୮ ବର୍ଷ ହେବ ବୋଲି କୁହାଯାଉଛି।

ଗତକିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ୨୮ଟକିଆ ହାତୀପଲଙ୍କ ପ୍ରାଦୁର୍ଭାବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହି ହାତୀପଲରେ ଉକ୍ତ ମାଈ ହାତୀଟି ଥିବାର ଅନୁମାନ କରାଯାଉଛି। ତେବେ ମାଈ ହାତୀର ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଦୁଇଟି ଦନ୍ତା ହାତୀ ଖୋର୍ଦ୍ଧାର ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପଶିଥିବାର ଖବର ମିଳିଥିଲା। ଦୁଇଟି ଦନ୍ତା ଡାକ୍ତରଖାନା ଚକ୍ଷୁ ବିଭାଗ ନିକଟରେ ରହିଥିଲେ । ଡାକ୍ତର, ନର୍ସ ଷ୍ଟାଫଙ୍କ କ୍ୱାର୍ଟର ନିକଟରେ ହାତୀ ବୁଲୁଥିଲେ । ଭୟରେ ସମସ୍ତ ମେଡିକାଲ ଷ୍ଟାଫ୍ ପୁଲିସ ଓ ବନବିଭାଗକୁ ଏହି ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗର କର୍ମଚାରୀମାନେ ମଧ୍ୟ ପହଞ୍ଚି ହାତୀ ଘଉଡ଼ାଇଥିଲେ ।