ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ସିସିଟିଭିରେ କଏଦ ହେଲା ଟଙ୍କା ଗଣିବାର ଦୃଶ୍ୟ

183

କନକ ବ୍ୟୁରୋ : ଭୁବନେଶ୍ୱର ଜଗନ୍ନାଥନଗରର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୫-୩୮୨୯ । ଏଠାରେ ରୁହନ୍ତି ବିଭୁ ପ୍ରସାଦ ମହାପାତ୍ର । ଘର କାମ ପାଇଁ ମାସିକ ୪ ହଜାର ଟଙ୍କା ଦେଇ କାମବାଲୀ ରଖିଥିଲେ । ହେଲେ ଏହି କାମବାଲୀ କେବଳ ବାସନ ଆଉ ଘର ସଫା କରେନାହିଁ, ଘରେ କେହି ନଥିବା ବେଳେ ଦାମୀ ଜିନିଷ ବି ସଫା କରିଦିଏ । ଭରସା ଓ ବିଶ୍ୱାସରେ କାମବାଲୀ ହାତରେ ଘରର ଚାବିକାଠି ଦେଇ ଦିଅନ୍ତି ଘର ମାଲିକ, କିନ୍ତୁ ବିଶ୍ୱାସରେ ବିଷ ଦେଇ ପଛ ପଟେ ଛୁରି ଭୁଶନ୍ତି । ଆଉ ଏହି କାମବାଲୀର କାରନାମା ଶୁଣିଲେ ଆପଣଂକ ହୋସ ଉଡିଯିବ । ଦେଖନ୍ତୁ କେମିତି ବେଡରୁମର କପବୋର୍ଡ ଖୋଲି ଗୋଟିଏ ପରେ ଗୋଟିଏ ନୋଟ ଗଣି ଚାଲିଛି ସରଳ ଦେଖାଯାଉଥିବା ଏହି କାମବାଲୀ । ଯେମିତି କାହାର ସନ୍ଦେହ ନହେବ ସେଥିପାଇଁ ବିଡା ବିଡା ଟଙ୍କା ଧରି ସେଥିରୁ ଅଧା କାଢି ନେଉଛି ଆଉ ବାକି ଟଙ୍କାକୁ ସେହି ପର୍ସ ଭିତରେ ପୁଣିଥରେ ଭର୍ତି କରି ରଖିଦେଉଛି । ପାଖାପାଖି ଲକ୍ଷେ ଟଙ୍କା ଚଳୁ କରିବା ପରେ, କପବୋର୍ଡରେ ଲାଗିଥିବା ହିଡେନ କ୍ୟାମେରାରେ ସବୁ କାରନାମା କଏଦ ହୋଇଛି । ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଚନ୍ଦ୍ରଶେଖରପୁର ଥାନା ଅଧିନରେ ପୁଣି ଏକ ଲୁଟ ନେଇ ଅଭିଯୋଗ ହୋଇଛି । ଘର ଭିତରେ ପଶି ସୁନା ଗହଣା ଓ ଟଙ୍କା ଲୁଟ କରିବା ସହ ଡ୍ରେସିଂ ଟେବୁଲ ,ଟିଭି, ଆଲମାରୀ ଓ କପବୋର୍ଡକୁ ଭଙ୍ଗାରୁଜା କରିଛନ୍ତି ଲୁଟେରା । ମହିଳା ଜଣକ ଘର ବାହାରକୁ ଯାଇଥିବା ବେଳେ ଦୁର୍ବୁତମାନେ ଘର ଭିତରେ ପଶି କଳାକନା ବୁଲାଇ ଦେଇଥିବା ମହିଳା କହିଛନ୍ତି । ଏଭଳି ଘଟଣା ପରେ ନିଜର ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆଉ ନ୍ୟାୟ ମିଳିଲା ପରେ ରାଜଧାନୀ ଛାଡି ଗାଁକୁ ପଲାଇବେ ବୋଲି ନିଷ୍ପତି ନେଇଛନ୍ତି ।

କିଛିଦିନ ହେବ ରାଜଧାନୀରେ ଚୋର ଆଉ ଡକାୟତଙ୍କ ଆତଙ୍କ ଖେଳାଇ ଥିବା ବେଳେ ନାକେଦମ ହୋଇଛି କମିସନରେଟ୍ ପୁଲିସ । ପ୍ରତିଦିନ ଏପରି ଖବର ଦେଖିବା ପରେ ଏବେ ପୁଲିସ ଉପରୁ ଆସ୍ଥା ହରାଇ ସାରିଲେଣି ରାଜଧାନୀବାସୀ । କେତେବେଳେ କାହା ପାଳି ପଡିବ ଆଉ କିଏ ହେବ ନେକ୍ସଟ ଟାର୍ଗେଟ ସେହି ଭୟରେ ସମସ୍ତେ ।