ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ କାମବାଲି ! ଅନୁପସ୍ଥିତିର ସୁଯୋଗ ନେଇ ଲୁଟି ନେଇଥିଲେ ୪୦ ଲକ୍ଷ, କିଣିଥିଲେ ଗହଣା

24

କନକ ବ୍ୟୁରୋ : ପୁଲିସ ହାତରେ ଧରାପଡିଥିବା ଦୁଇ ଜଣ ହେଲେ ସିଲଭର ସିଟିର ଦୁଇ ସ୍ମାର୍ଟ ଲୁଟେରା । ହେଲେ କୌଣସି ବ୍ୟାଙ୍କ କି ବଡ ବ୍ୟବସାୟୀଠୁ ଲୁଟିନାହାଁନ୍ତି ଏମାନେ । ଯେଉଁ ଘରେ କାମ କରୁଥିଲେ ସେହି ଘରେ ବୁଲାଇଦେଇଛନ୍ତି କଳାକନା । ଘରୁ ୪୦ ଲକ୍ଷ ଟଙ୍କା ଧରି ରାତାରାତି ଚମ୍ପଟ ମାରିଥିଲେ ହେଲେ ପୋଲିସ କାବୁ କରିଛି କଟକର ଏହି ଦୁଇଜଣ ଚୋରଙ୍କୁ । ସେମାନଙ୍କ ଠାରୁ ଜବତ ହୋଇଛି ୩୨ ଲକ୍ଷ ଟଙ୍କା ଓ ସୁନା ଗହଣା ।

ବିଭୂତି ଭୂଷଣ ନାୟକ । ପେଶାରେ ଡାକ୍ତର । ସ୍ତ୍ରୀ ବି ଜଣେ ଡାକ୍ତର । କଟକରେ ରହୁଥିବା ଏହି ଡାକ୍ତର ଦମ୍ପତିଙ୍କ ଘରେ ୨ ମାସ ତଳେ କାମ କରିବାକୁ ଆସିଥିଲେ ପଦ୍ମାବତୀ ଓ ତାଙ୍କ ପୁଅ ଅକ୍ଷୟ । ସେବେଠୁ ଡାକ୍ତରଙ୍କ ସମ୍ପତି ଉପରେ ରହିଥିଲା ସେମାନଙ୍କ ନଜର । ଆଉ ସୁଯୋଗ ପାଇ ଦୁଇ ଦିନ ତଳେ ଡାକ୍ତରଙ୍କ ଆଲମିରାରୁ ଲୁଟି ନେଇଥିଲେ ୪୦ ଲକ୍ଷ ଟଙ୍କା । ପରେ ସେହି ଟଙ୍କାରୁ କିଛି ସୁନା ଗହଣା କିଣି ନେଇଥିଲେ ।

ଲୁଟ୍ ପରେ ଦୁଇଜଣ ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରିଥିଲେ । ହେଲେ ଘରେ ଲାଗିଥିବା ସିସିଟିଭି ଧରାଇଦେଇଥିଲା ସିଲଭରସିଟିର ଏହି ସ୍ମାର୍ଟ ଲୁଟେରାଙ୍କୁ ।