କନକ ବ୍ୟୁରୋ : ବସନ୍ତ ରୁତୁରେ କୋରାପୁଟ ଜିଲ୍ଲାର ଜଙ୍ଗଲ ଗୁଡ଼ିକରେ ମହୁଲ ଫୁଲ ଫୁଟିଥାଏ । ଘଂଚ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରି ଏହାକୁ ଶୁଖାଇ କିଛି ରୋଜଗାର କରିଥାଆନ୍ତି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ । କିନ୍ତୁ ମହୁଲ ଫୁଲ ବିକ୍ରି କରିବା ପାଇଁ ବ୍ୟବସ୍ଥା ନଥିବାରୁ କମ୍ ଦାମରେ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ ବେପାରୀଙ୍କୁ ବିକ୍ରି କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ବ୍ୟବସ୍ଥା ଥିବା ବେଳେ ମହୁଲ ଫୁଲ ବିକ୍ରି ପାଇଁ ବ୍ୟବସ୍ଥା ନଥିବାରୁ କ୍ଷତି ସବୁଛନ୍ତି ନିରିହ ଆଦିବାସୀ ।

Advertisment

କଥାରେ ଅଛି ମହୁଲ ଫୁଲର ବାସ ଚହଟଇ ଚଉପାସ.. ବସନ୍ତ ରୁତୁ ଆସିଲେ ମୁହୁଲ ଫୁଲର ବାସ୍ନାରେ ମହକିଥାଏ କୋରାପୁଟର ପାହାଡିଆ ଅଂଚଳ । ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ ଏହି ଫୁଲକୁ ଜଙ୍ଗଲରୁ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି କିଛି ରୋଜଗାର କରିଥାଆନ୍ତି । ତେଣୁ ପ୍ରତି ବର୍ଷ ଏହି ସମୟକୁ ଅପେକ୍ଷା କରି ରହିଥାଆନ୍ତି ସ୍ଥାନୀୟ ବାସିନ୍ଦା । କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା, କୁନ୍ଧ୍ରା, ବନ୍ଧୁଗାଁ, ଲମତାପୁଟ ବ୍ଲକରେ ମହୁଲ ଫୁଲ ବହୁଳ ପରିମାଣରେ ମିଳିଥାଏ । ଚାହିଦା ମୁତାବିକ ବିକ୍ରି ବଟା ପାଇଁ ଓଡ଼ିଶାରେ ବଜାର ନଥିବାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ର ବ୍ୟବସାୟୀ ଶସ୍ତା ଦରରେ ଏମାନଙ୍କ ଠାରୁ ମହୁଲ ଫୁଲ କିଣି ନେଉଛନ୍ତି । ଫଳରେ ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇପାରୁନଥିବା କହିଛନ୍ତି ମହୁଲ ଫୁଲ ସଂଗ୍ରହ କରୁଥିବା ଲୋକେ ।

ବସନ୍ତ ରୁତୁରେ ଏହି ଫୁଲ ଉପଲବ୍ଧ ହେଉଥିବାରୁ ସ୍ଥାନୀୟ ଅଦିବାସୀଙ୍କ ମଧ୍ୟରେ କିଛି ରୋଜଗାର କରିବାର ଆଶା ରହିଥାଏ । ନିଜ ପରିବାର ସହ ସକାଳୁ ସଂଧ୍ୟା ଯାଏଁ ମହୁଲ ଗଛ ମୂଳେ ରହି ଫୁଲ ଗୁଡ଼ିକୁ ଗୋଟାଇ ଆଣନ୍ତି । ମହୁଲ ଫୁଲ ଗୋଟାଇବାରେ ଏମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ଜଙ୍ଗଲରୁ କଞ୍ଚା ଫୁଲ ଆଣି ତାକୁ ଖରାରେ ସୁଖାଇ ବିକ୍ରି କରିଥାଆନ୍ତି । ଏହି ଫୁଲରୁ ତେଲ ବାହାର କରି ବ୍ୟବହାର କରିଥାନ୍ତି ଆଦିବାସୀ ଅଂଚଳର ଲୋକେ  । ଯାହାକୁ ଟୋଲ ମଂଜି ତେଲ କହନ୍ତି । ଏହାକୁ ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ । ମହୁଲ ଫୁଲ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏହା ସହ ପଡ଼ୋଶୀ ରାଜ୍ୟ ମଧ୍ୟ ଏଥିରୁ ମହୁଲି ପ୍ରସ୍ତୁତି କରିବା ପାଇଁ କିଣି ନିଅନ୍ତି ।  ବନ ବିଭାଗ ଦ୍ୱାରା ସଂରକ୍ଷିତ ରହିଥିବା ଜଙ୍ଗଲରୁ ବର୍ଷକୁ ପାଖାପାଖି ୫ଶହ ଟନରୁ ଅଧିକା ମହୁଲ ଫୁଲ ସଂଗ୍ରହ ହୋଇଥାଏ । ସେପଟେ ଉଚିତ ମୂଲ୍ୟରେ ବଜାରରେ ବିକ୍ରି ପାଇଁ ପ୍ରଶାସନକୁ ଏନେଇ ଅବଗତ କରାଇବେ ବୋଲି କହିଛନ୍ତି ଜଙ୍ଗଲ ବିଭାଗ ଅଧିକାରୀ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବା କୋରାପୁଟ ଜିଲ୍ଲାର ଅଧିକାଂଶ ଲୋକେ ଜଙ୍ଗଲଜାତ ଜିନିଷ ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରନ୍ତି । କିନ୍ତୁ ସରକାରଙ୍କ ଏଥିପ୍ରତି ନଜର ନଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଏହି ସବୁ ଜିନିଷର ବିକ୍ରୟ ବ୍ୟବସ୍ଥା ନଥିବାରୁ କ୍ଷତି ସହୁଛନ୍ତି ଲୋକେ । ଆଉ ଏହାର ଫାଇଦା ଉଠାଉଛନ୍ତି ପଡ଼ୋଶୀ ରାଜ୍ୟ ।