ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମହୁଲ ଫୁଲ: ରାତି ପାହିଲେ ମହୁଲ ଫୁଲ ସଂଗ୍ରହ କରିବାକୁ ଗଛମୂଳେ ଲାଗୁଛି ପ୍ରତିଯୋଗୀତା

210

କନକ ବ୍ୟୁରୋ: ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ମହୁଲ ଫୁଲ । ଗାଁ ଗାଁ ରେ ଏବେ ମହୁଲ ଫୁଲର ମହକ । ବସନ୍ତ ଋତୁରେ ମହୁଲ ଫୁଲର ମହକରେ ମହକୁଛି ନବରଙ୍ଗପୁର ଜିଲ୍ଲାର ବଣପହାଡ ଘେରା ଅଂଚଳ । ଏହି ଫୁଲ ଆଦିବାସୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ ଥିବା ବେଳେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ବିକ୍ରୟ କରୁଛନ୍ତି ଲୋକେ ।

ମହୁଲ ଫୁଲର ବାସ୍ନାରେ ମହକୁଛି ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏହି ଫୁଲ ଏବେ ଆଦିବାସୀଙ୍କ ଜୀବିକାର ମାଧ୍ୟମ ପାଲଟିଛି । ରାତି ପାହିଲେ ଗାଁର ଅଧିକାଂଶ ଲୋକେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲ ମୁହାଁ ହେଉଛନ୍ତି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ପରିବାରର ସମସ୍ତ ସଦସ୍ୟ ମହୁଲ ଗଛ ତଳେ ଏକାଠି ହୋଇ ମହୁଲ ଗୋଟାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବସନ୍ତର ଆଗମନରେ ମହୁଲ ଗଛରେ ମହୁଲ ଫୁଲ ଫୁଟିଥାଏ । ମାସେ ଦୁଇ ମାସ ଭିତରେ ଏହା ବନ୍ଦ ହୋଇଯାଏ । ତେଣୁ ଏହି କିଛିଦିନ ମହୁଲ ଗୋଟାଇ ଆଦିବାସୀ ମାନେ କିଛିଟା ରୋଜଗାର କରିଥାଆନ୍ତି ।

ମହୁଲ ଫୁଲ ଓ ଆଦିବାସୀ ର ସଂପର୍କ ବହୁ ପୁରାତନ । ସାଧାରଣତଃ ଆଦିବାସୀ ମାନେ ମହୁଲକୁ ଖାଦ୍ୟ ଭାବେ ଓ କିଛି ଲୋକ ମଦ ତିଆରି କରିବାରେ ବ୍ୟବହାର କରନ୍ତି । ଆଉ କିଛି ଲୋକ ଏହାକୁ ଶୁଖାଇ ପିଡ଼ିଆ ଭାବେ ବ୍ୟବହାର କରି ଗାଈ ଗୋରୁଙ୍କୁ ଖାଦ୍ୟ ଭାବେ ମଧ୍ୟ ଦେଇଥାନ୍ତି । ମହୁଲ ଗୋଟାଳି ମାନେ ମହୁଲ ଗୋଟେଇ ତାହାକୁ ଶୁଖାଇ ଯେଉଁ ପରିଶ୍ରମ କରିଥାନ୍ତି ତାଙ୍କୁ ସେହିଭଳି ଉଚିତ ମୂଲ୍ୟ ମିଳେ ନାହିଁ । ସରକାର ଯେମିତି ଅନ୍ୟ ଲଘୁ ଜଙ୍ଗଲ ଜାତ ଦ୍ରବ୍ୟକୁ ଲୋକଙ୍କ ଠାରୁ କ୍ରୟ କରୁଛନ୍ତି ସେହିପରି ମହୁଲକୁ ଲୋକଙ୍କ ଠାରୁ ସିଧାସଳଖ କ୍ରୟ କଲେ ଲୋକେ ଉପକୃତ ହୋଇପାରନ୍ତେ ଓ ମହୁଲର ଉପଯୁକ୍ତ ମୂଲ୍ୟ ପାଇପାରନ୍ତେ ।

ଅନେକ ସମୟରେ ଆଦିବାସୀଙ୍କ ସରଳତାର ଭରପୁର ଲାଭ ଉଠାନ୍ତି ବ୍ୟବସାୟୀ ଓ ମଦଭାଟି ମାଲିକ । ବିକ୍ରି ବଟାର ବ୍ୟବସ୍ଥା ନଥିବାରୁ କମ ମୂଲ୍ୟରେ ବିକ୍ରି କରବାକୁ ବାଧ୍ୟ ହୋଇଥାନ୍ତି ଏଇ ନିରିହ ଆଦିବସୀ ।