କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ହୋଇଛି ପ୍ରଚୁର ପରିମାଣର ମହୁଲ ଫୁଲ । କିଲୋ ପ୍ରତି ୨୦ରୁ ୩୦ ଟଙ୍କାରେ ବିକ୍ରି କରି କ୍ଷତି ସହୁଛନ୍ତି ମହୁଲ ସଂଗ୍ରହକାରୀ 

155

କନକ ବ୍ୟୁରୋ: ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣର ମହୁଲ ଫୁଲ ହୋଇଥିବା ବେଳେ ଏହାର ସଠିକ ମୂଲ୍ୟ ପାଉନଥିବା କହିଛନ୍ତି ମହୁଲ ସଂଗ୍ରହକାରୀ । ଅସାଧୁ ବ୍ୟବସାୟୀ ମାନେ ମହୁଲ ସଂଗ୍ରହକାରୀଙ୍କ ଠାରୁ ନିର୍ଧାରିତ ଦର ଠାରୁ କମ ମୂଲ୍ୟରେ କିଣିନେଉଛନ୍ତି । ତେଣୁ ସରକାର ସିଧାସଳଖ ମହୁଲ ଫୁଲ କ୍ରୟ କରିବା ପାଇଁ ବ୍ୟବସ୍ଥା କରିବାକୁ ମହୁଲ ସଂଗ୍ରହକାରୀ ମାନେ ଦାବୀ କରୁଛନ୍ତି ।

ଜଙ୍ଗଲ ପାହାଡ ଘରେ କନ୍ଧମାଳ ଜିଲ୍ଲାରେ ହୋଇଛି ପ୍ରଚୁର ପରିମାଣର ମହୁଲ । ପ୍ରତିବର୍ଷ  ବସନ୍ତ ଋତୁ ଆସିଲେ ମହୁଲ ସଂଗ୍ରହ ପାଇଁ ଲାଗିପଡ଼ନ୍ତି ସ୍ଥାନୀୟ ବାସିନ୍ଦା । ମହୁଲ ଗଛରୁ ମିଳୁଥିବା ମହୁଲ ଫୁଲରୁ ମହୁଲି ପ୍ରସ୍ତୁତ ହେଉଥିବା ବେଳେ, ବଜାରରେ ମହୁଲର ବେଶ ଚାହିଦା ରହିଛି । କିନ୍ତୁ ଖରା ତରାରେ ବହୁ ପରିଶ୍ରମ କରି ମହୁଲ ଫୁଲ ସଂଗ୍ରହ କରୁଥିବା ନିରୀହ ଲୋକ ମାନେ ଏହାର ସଠିକ ମୂଲ୍ୟ ପାଉନାହାନ୍ତି । ଅସାଧୁ ବ୍ୟବସାୟୀ ମାନେ ମହୁଲ ସଂଗ୍ରହକାରୀଙ୍କ ଠାରୁ ନିର୍ଧାରିତ ଦର ଠାରୁ ବହୁ କମ ମୂଲ୍ୟରେ ମହୁଲ ଫୁଲ କିଣିନେଉଛନ୍ତି  । ତେଣୁ ସରକାର ସିଧାସଳଖ ମହୁଲ ଫୁଲ କ୍ରୟ କରିବା ପାଇଁ ବ୍ୟବସ୍ଥା କରିବାକୁ ମହୁଲ ସଂଗ୍ରହକାରୀ ମାନେ ଦାବି କରିଛନ୍ତି ।

ଦୈନିକ ଗୋଟିଏ ଗୋଟିଏ ଗଛରୁ ପ୍ରୟ ୧୦ କିଲୋ ପର୍ଯ୍ୟନ୍ତ ମହୁଲ ସଂଗ୍ରହ କରିଥାନ୍ତି ମହୁଲ ସଂଗ୍ରହକାରୀ । ଏହା ପରେ ତାକୁ ଟାଣ ଖରାରେ ଶୁଖାଇ ବ୍ୟବସାୟୀଙ୍କୁ ବିିକ୍ରି କରିଥାନ୍ତି  । ତେବେ ଏଥିପାଇଁ ତାଙ୍କୁ କମ ପରିଶ୍ରମ କରିବାକୁ ପଡିନଥାଏ । ପ୍ରଥମତଃ ଗଛରୁ ଗୋରୁଙ୍କ କବଳରୁ ରକ୍ଷା କରିବାକୁ ଗଛ ତଳେ ଦିନ ରାତି  କେହି ନା କେହି ଜଗି ରହିଥାଏ  । ପରେ ଗଛ ତଳେ ପଡିଥିବା ମହୁଲକୁ ଗୋଟି ଗୋଟି କରି ଗୋଟାଇବାକୁ ପଡିଥାଏ । ଏତେ ସବୁ କାମ ପାଇଁ ଗୋଟିଏ ପରିବାରର ପିଲା ଠାରୁ ଆରମ୍ଭ କରି ମହିଳା, ପୁରୁଷ, ବୃଦ୍ଧାବୃଦ୍ଧା ସମସ୍ତେ ଲାଗିଥାନ୍ତି  । କିନ୍ତୁ ଏହା ସତ୍ତେ୍ୱ ସେମାନଙ୍କ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ  ଠିକ ଭାବେ ମିଳୁ ନଥାଏ । ଏହି ଫୁଲକୁ କିଲୋ ପ୍ରତି ୨୦ରୁ ୩୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ମହୁଲ ସଂଗ୍ରହକାରୀ ।

ତେବେ ଏହି ବନଜାତ ଦ୍ରବ୍ୟ ମହୁଲର ପ୍ରତିବର୍ଷ କ୍ରୟ ମୂଲ୍ୟ ପଞ୍ଚାୟତ ସମିତି ମାଧ୍ୟମରେ ନିର୍ଧାରଣ ହୋଇଥାଏ । ପଞ୍ଚାୟତ ସ୍ତରରେ ହିଁ ବ୍ୟବସାୟୀଙ୍କୁ ମହୁଲ କ୍ରୟ କରିବା ପାଇଁ ଲାଇସେନସ ପ୍ରଦାନ କରାଯାଏ । ଅବକାରୀ ବିଭାଗ ତରଫରୁ ମଧ୍ୟ ମହୁଲ କ୍ରୟ ଏବଂ ମହଜୁଦ ରଖିବା ପାଇଁ ଲାଇସେନସ ଦିଆଯାଉଛି  । ତେବେ ଚଳିତ ବର୍ଷ ପଞ୍ଚାୟତ ସ୍ତରରେ ମହୁଲ କିଲୋ ପ୍ରତି ୩୦ ଟଙ୍କାରେ କ୍ରୟ କରିବା ପାଇଁ ଦର ଧାର୍ଯ୍ୟ କରାଯାଇଥିବା ବେଳେ ମହୁଲ କ୍ରୟ ଦର ବାବଦରେ ସେମିତି କିଛି ପ୍ରଚାର ପ୍ରସାର କରିବାର ବ୍ୟବସ୍ଥା ହୋଇନାହିଁ । ଫଳରେ  ଅସାଧୁ ବ୍ୟବସାୟୀ ମାନେ ନିର୍ଧାରତ ଦର ଠାରୁ କମ ମୂଲ୍ୟରେ ମହୁଲ କ୍ରୟ କରୁଥିବା ଅଭିଯୋଗ ହୋଇଛି ।