କନକ ବ୍ୟୁରୋ : ସଂସଦର ସଦସ୍ୟତା ହରାଇବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ସାଂସଦ । ନିଜ ଉପରେ ଲାଗିଥିବା ବହିଷ୍କାରକୁ ଚ୍ୟାଲେଞ୍ଜ ଦେବା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟି ମାମଲାର ରିପୋର୍ଟକୁ ଲୋକସଭା ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲା । ଯାହା ପରେ ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ବହିଷ୍କାର କରିଥିଲେ ।

Advertisment

ମହୁଆଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ସାଂଘାତିକ ଅଭିଯୋଗ ଲଗାଇଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ମାମଲାର ଯାଞ୍ଚ ପାଇଁ ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ନିଶିକାନ୍ତ । ଏହା ପରେ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । କମିଟି ନଭେମ୍ବର ୯ ତାରିଖରେ ମହୁଆଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିବା ସହ ଏକ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରିଥିଲା । ମହୁଆ ନିଜ ସଂସଦୀୟ ଆଇଡି ଲଗଇନ୍ ଓ ପାସୱାର୍ଡ ବ୍ୟବସାୟୀ ହୀରାନନ୍ଦାନୀଙ୍କୁ ଦେଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଥିଲା । କମିଟି ଏହାକୁ ଗୁରୁତ୍ୱର ସହ ନେଇ ମାମଲା ଜାତୀୟ ସୁରକ୍ଷାର ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲା । ଯାହା ପରେ ଏହାର ରିପୋର୍ଟ ଲୋକସଭା ଅଧ୍ୟକ୍ଷଙ୍କୁ ପାଖକୁ ପଠାଯାଇଥିଲା । ଏବେ ମହୁଆ ନିଜ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟ ଯିବା ପରେ ଆଗକୁ କ’ଣ ରହିବ ପଦକ୍ଷେପ, ତା’ ଉପରେ ସମସ୍ତଙ୍କ ନଜର ।