କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା ତାହା ସତ ହୋଇଛି । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ସାଂସଦ ପଦ ହରାଇଛନ୍ତି ମହୁଆ । ତେବେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମହୁଆ ନିଜକୁ ଦ୍ରୌପଦୀ ବୋଲି କହିବା ସହ ବସ୍ତ୍ରହରଣ ପାଇଁ ଆଗକୁ ମହାଭାରତ ଯୁଦ୍ଧ ଦେଖିବାକୁ ଆହ୍ୱାନ ଦେଇଥିଲେ । ଆଉ କାର୍ଯ୍ୟାନୁଷ୍ଠାନ ପରେ ଆଗାମୀ ୩୦ ବର୍ଷ ଯାଏଁ ବିଜେପି ବିରୋଧରେ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ।

Advertisment

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ସଂପର୍କିତ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ଲୋକସଭାର ବାଚସ୍ପତି ଓମ ବିର୍ଲା । ଏହି ପ୍ରସଙ୍ଗକୁ ନେଇ ଆଜି ଲୋକସଭାରେ ପ୍ରବଳ ହଙ୍ଗାମା ହୋଇଥିଲା । କିନ୍ତୁ ଶେଷରେ ମହୁଆଙ୍କୁ ବହିଷ୍କାର କରିବା ନେଇ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି ।

ବିରୋଧୀ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରୁଥିବାବେଳେ ବିଜେପି କହିଛି ମହୁଆ ତାଙ୍କ ବିଶେଷ ଅଧିକାରର ଅନୁଚିତ ବ୍ୟବହାର କରିଛନ୍ତି । ଯାହା ଗଣତନ୍ତ୍ରର ଉପହାସ କରୁଛି । କାର୍ଯ୍ୟାନୁଷ୍ଠାନ ପରେ ମହୁଆ ମୋଇତ୍ରା ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ମହୁଆ କହିଛନ୍ତି ତାଙ୍କୁ ୪୯ ବର୍ଷ, ତେଣୁ ଆଗାମୀ ୩୦ ବର୍ଷ ଯାଏଁ ସେ ସବୁଠି ବିଜେପି ବିରୋଧରେ ଲଢେଇ କରିବେ । ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ମହୁଆଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ।

ପଶ୍ଚିମବଙ୍ଗ କୃଷ୍ଣନାଗରରୁ ଟିଏମସି ଟିକେଟରେ ଲୋକସଭାକୁ ନିର୍ବାଚିତ ମହୁଆ ମୋଇତ୍ରଙ୍କ ବିରୋଧରେ ଦୁଇଟି ସଂଗୀନ ଅଭିଯୋଗ ରହିଥିଲା । ପ୍ରଥମଟି ହେଲା- ୨୦୧୯ୁ ୨୦୨୩ ମଧ୍ୟରେ ମହୁଆଙ୍କ ଲଗଇନରେ ୬୧ଟି ପ୍ରଶ୍ନ କରାଯାଇଥିଲା । ଯାହାକୁ ମହୁଆଙ୍କ ପକ୍ଷରୁ ପଚାରିଥିଲେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ।

ଦ୍ୱିତୀୟ ଅଭିଯୋଗ ହେଉଛି ଯେ, ସାଂସଦ ଭାବେ ମହୁଆ ତାଙ୍କ ପଦବୀର ଦୂରୁପଯୋଗ କରିଛନ୍ତି । ସାଂସଦ ଭାବେ ତାଙ୍କୁ ଦିଆଯାଇଥିବା ଲଗଇନ୍, ପାସୱାର୍ଡକୁ ଅନ୍ୟ ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଆଧାରରେ ଏହାର ତଦନ୍ତ କରିଥିଲା ଏଥିକ୍ସ କମିଟି ।

ବିଜେପିର କହିବା ହେଲା ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ସମାନ ଅଭିଯୋଗରେ କଂଗ୍ରେସର ୧୦ ଜଣ ସାଂସଦଙ୍କୁ ମଧ୍ୟ ବହିଷ୍କୃତି କରାଯାଇଥିଲା । ଜଣେ ସାଂସଦ ଭାବେ ଶପଥ ନେଇ ମହୁଆ ଯେଉଁ କାର୍ଯ୍ୟ କରିଛନ୍ତି ତାହା ନିନ୍ଦନୀୟ ।

କୁହାଯାଉଛି ଏବେ ମହୁଆଙ୍କ ନିକଟରେ ୩ଟି ବିକଳ୍ପ ରହିଛି
ବିକଳ୍ପ- ୧
- ମହୁଆ ଚାହିଁଲେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂସଦକୁ ଅନୁରୋଧ କରିପାରିବେ
ବିକଳ୍ପ- ୨
- ମୌଳିକ ଅଧିକାରର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି
ବିକଳ୍ପ- ୩
- ନିଷ୍ପତ୍ତିକୁ ସ୍ୱୀକାର କରି ପୁଣି ୪ ମାସ ଭିତରେ ନିର୍ବାଚିତ ହୋଇ ଲୋକସଭା ଆସିପାରିବେ