କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ମହଙ୍ଗା ପଡ଼ିଲା ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲା । ଏଥିକ୍ସ କମିଟିର ରିପୋର୍ଟ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରାଯିବା ପରେ ମହୁଆଙ୍କ ବହିଷ୍କୃତ କରାଯାଇଛି । କମିଟିର ରିପୋର୍ଟ ଆଧାରରେ ଲୋକସଭା ବାଚସ୍ପତି ଓମବିର୍ଲା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମହୁଆଙ୍କ ଆଚରଣ ଅନୈତିକ ବୋଲି କହିଛନ୍ତି ବାଚସ୍ପତି । ସେପଟେ ଲୋକସଭାରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମହୁଆ । ଏଥିକ୍ସ କମିଟି ଠିକରେ ଯାଂଚ କରିନଥିବା ସେ କହିଛନ୍ତି । ସେପଟେ ବିଜେପି ଏକ ପ୍ରତିଶୋଧ ପରାୟଣ ରାଜନୀତି କରୁଛି ଓ ଦଳ ମହୁଆଙ୍କୁ ସମର୍ଥନ ଜଣାଉଥିବା କହିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ।

ବିଜେପି କହିଛି ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ସମାନ ଅଭିଯୋଗରେ କଂଗ୍ରେସର ୧୦ଜଣ ସାଂସଦଙ୍କୁ ମଧ୍ୟ ବହିଷ୍କୃତି କରାଯାଇଥିଲା । ଜଣେ ସାଂସଦଭାବେ ଶପଥ ନେଇ ମହୁଆ ଯେଉଁ କାର୍ଯ୍ୟ କରିଛନ୍ତି ତା ନିନ୍ଦନୀୟ ।

ସୁପ୍ରିମକୋର୍ଟ ଓକିଲ ତଥା ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅନନ୍ତ ଦେହଦ୍ରାଈଙ୍କ ଅଭିଯୋଗକୁ ଭିତି କରି ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ନଜର ପକାନ୍ତୁ ପୁରା ଘଟଣାକ୍ରମ ଉପରେ ।

‘ପ୍ରଶ୍ନ ପାଇଁ ଲାଂଚ’ ମାମଲା
- ୧୪ ଅକ୍ଟୋବର: ସୁପ୍ରିମକୋର୍ଟ ଓକିଲ ଅନନ୍ତ ଦେହଦ୍ରାଈ ମହୁଆଙ୍କ ବିରୋଧରେ ସିବିଆଇରେ ଅଭିଯୋଗ
- ୧୫ ଅକ୍ଟୋବର: ସେହି ଅଭିଯୋଗ ଲିଖିତ ଭାବେ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କୁ କଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ
- ୧୬ ଅକ୍ଟୋବର: ନିଶିକାନ୍ତ ଦୁବେ, ମହୁଆଙ୍କ ଲଗିନ୍ ଆଇଡିର ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କଲେ
- ୧୭ ଅକ୍ଟୋବର: ଦୁବେଙ୍କ ଅଭିଯୋଗ ଏଥିକ୍ସ କମିଟିଙ୍କ ପାଖକୁ ପଠାଇଲେ ସ୍ପିକର ଓମ୍ ବିର୍ଲା
- ୧୮ ଅକ୍ଟୋବର: ଏଥିକ୍ସ କମିଟି ଆଗରେ ହାଜର ହେବାକୁ ନିଶିକାନ୍ତ ଦୁବେଙ୍କୁ ଲୋକସଭାର ନୋଟିସ୍
- ୧୯ ଅକ୍ଟୋବର: ଆଫିଡେଭିଟ୍ରେ ମହୁଆଙ୍କ ଲଗିନ୍ ଆଇଡି ବ୍ୟବହାର କରିବା କଥା ସ୍ୱୀକାର କଲେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ
- ୨୦ ଅକ୍ଟୋବର: କେନ୍ଦ୍ର ସରକାର ବ୍ୟବସାୟୀ ହୀରାନନ୍ଦାନୀଙ୍କ ଉପରେ ଚାପ ପ୍ରୟୋଗ ନେଇ ଅଭିଯୋଗ
- ୨୦ ଅକ୍ଟୋବର: ଦିଲ୍ଲୀ ହାଇକୋର୍ଟରେ ନିଶିକାନ୍ତ ଦୁବେ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମାନହାନୀ ମାମଲା ଦାୟର କଲେ ମହୁଆ
- ୨୭ ଅକ୍ଟୋବର: ୩୧ ଅକ୍ଟୋବର ବଦଳରେ ୫ ନଭେମ୍ବର ପରେ ଏଥିକ୍ସ କମିଟି ଆଗରେ ହାଜର ହେବାକୁ ଅନୁମତି ମାଗିଥିଲେ ମହୁଆ
- ୨୮ ଅକ୍ଟୋବର: ନଭେମ୍ବର ୨ରେ ହାଜର ହେବାକୁ ଏଥିକ୍ସ କମିଟି ଦେଲା ନିର୍ଦ୍ଦେଶ
-୩୧ ଅକ୍ଟୋବର: କେନ୍ଦ୍ର ସରକାର ଫୋନ ହ୍ୟାକିଂ କରିଥିବା ମହୁଆଙ୍କ ଅଭିଯୋଗ
-ନଭେମ୍ବର ୨: ଏଥିକ୍ସ କମିଟି ନିକଟରେ ମହୁଆ ହାଜର ହୋଇଥିଲେ
-ନଭେମ୍ବର ୮: ଏଥିକ୍ସ କମିଟି ରିପୋର୍ଟ ପ୍ରସ୍ତୁତ କରିଥିଲେ
-ନଭେମ୍ବର ୯: ଲୋକସଭା ବାଚସ୍ପତିଙ୍କୁ ଏଥିକ୍ସ କମିଟିର ରିପୋର୍ଟ ପ୍ରଦାନ
ନଭେମ୍ବର ୧୦: ମହୁଆଙ୍କୁ ବହିଷ୍କୃତି କରିବାକୁ ଏଥିକ୍ସ କମିଟିର ସୁପାରିଶ

ବିଜେପି ଅଭିଯୋଗ କରିଥିଲା ଯେ ମହୁଆ ଲାଂଚ ନେଇ ବ୍ୟବସାୟୀ ହୀରାନନ୍ଦାନୀଙ୍କୁ ତାଙ୍କ ଲଗିନ୍ ଆଇଡି ବ୍ୟବହାର କରିବାକୁ ଦେଇଥିଲେ । ଆଉ ଯାହାକୁ ବ୍ୟବହାର କରି ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ କରାଯାଇଥିଲା ।