କନକ ବ୍ୟୁରୋ : ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଏଥିକ୍ସ କମିଟିରେ ହାଜର ହୋଇଛନ୍ତି । ହାଜର ପରେ ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା । ଆଉ ଏହାରି ଭିତରେ ବିରୋଧୀ ଦଳର ସାଂସଦମାନେ ବୈଠକରୁ ୱାକଆଉଟ୍ କରିଥିଲେ । ଖୋଦ୍ ମହୁଆ ମୋଇତ୍ରା ମଧ୍ୟ ବୈଠକରୁ ବାହାରି ଆସିଥିଲେ । ବୈଠକ ପରେ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ୁଛି, ସାଂସଦମାନେ ବୈଠକରୁ ଅସନ୍ତୁଷ୍ଟ ହୋଇ ବାହାରୁଛନ୍ତି । କମିଟିର ସଦସ୍ୟ ତଥା ବିଏସପି ସାଂସଦ ଦାନିଶ ଅଲ୍ଲୀ ଅଭିଯୋଗ ଆଣିଛନ୍ତି ଯେ, ବୈଠକର ଅଧ୍ୟକ୍ଷ, ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ କିଛି ଅନୈତିକ ପ୍ରଶ୍ନ ପଚାରିଥିଲେ । ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ କରିବା ଅଶୋଭନୀୟ ବୋଲି ଦାନିଶ ଅଲ୍ଲୀ ଅଭିଯୋଗ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ବିରୋଧୀ ସାଂସଦଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ବିଜେପି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି ଯେ, ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନକର ଜଣେ ନିମ୍ନଜାତିର । ସେଥିପାଇଁ ତାଙ୍କୁ ବିରୋଧ କରାଯାଉଛି । ମହ୍ରୁଆ ମୋଇତ୍ରା କିଛି ଟଙ୍କା ପାଇଁ ନିଜ ବିବେକକୁ ବିକ୍ରି କରିଦେଇଛନ୍ତି । ମୋଇତ୍ରା ଦେଶର ସୁରକ୍ଷା ସହ ଖେଳିଛନ୍ତି । ସେହିପରି ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକର ଓ ସଦସ୍ୟ ଅପରାଜିତା ଷଡଙ୍ଗୀ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଗୁରୁବାର ୧୧ଟା ବେଳେ ଏଥିକ୍ସ କମିଟିରେ ହାଜର ହୋଇଥିଲେ ମହୁଆ । ୨ ଘଂଟା ଧରି ଆଇଟି, ବୈଦେଶିକ ଓ ଗୃହମନ୍ତ୍ରାଳୟର ରିପୋର୍ଟର ଯାଂଚ ପରେ ମହୁଆଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ମହୁଆ ଦେଢ଼ ଘଂଟା ଧରି କମିଟି ଆଗରେ ନିଜ ପକ୍ଷ ରଖିଥିଲେ । ଏହାରି ଭିତରେ ମହୁଆ କହିଥିଲେ ଯେ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରସଙ୍ଗ କରାଯାଉଛି । ସେ କିଛି ବି ଭୁଲ୍ କରିନାହାନ୍ତି । ସେହିପରି ମହୁଆଙ୍କ ଓକିଲ ମଧ୍ୟ ସମାନ କଥା ଦୋହରାଇଛନ୍ତି ।
ଅନ୍ୟପକ୍ଷରେ କ୍ୟାସ ଫର କ୍ୱେରୀ ମାମଲାରେ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ଆଗକୁ ବଢ଼ିପାରେ । ଏଥିକ୍ସ କମିଟିରେ ହାଜର ହେବା ପୂର୍ବରୁ ତାଙ୍କର ସଂସଦୀୟ ଆକାଉଂଟକୁ ନେଇ ବଡ଼ ଖୁଲାସା ହୋଇଛି । ବିଜେପିର ନିକଟତମ ସୂତ୍ର ଏକ ଜାତୀୟ ଗଣମାଧ୍ୟମକୁ କହିଛି ଯେ, ମହୁଆଙ୍କ ସଂସଦୀୟ ଆକାଉଂଟକୁ ଦୁବାଇରୁ ୪୭ଥର ଆକ୍ସେସ ବା ଲଗ୍-ଇନ୍ କରାଯାଇଛି । ତେବେ ଏସବୁ ଅଭିଯୋଗ ଆଗକୁ ମହୁଆଙ୍କୁ କେତେ ଅଡ଼ୁଆରେ ପକାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିବ ।