ଏକନାଥ ସିନ୍ଦେ କହିଲେ ବିଧାୟକଙ୍କ ବିଦ୍ରୋହର କାରଣ। ପ୍ରଧାନମନ୍ତ୍ରୀ କଣ ଦେଇଥିଲେ ମନ୍ତ୍ର? ପଢନ୍ତୁ…

286

କନକ ବ୍ୟୁରୋ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହ ସମ୍ପର୍କରେ ମୁହଁ ଖୋଲିଛନ୍ତି । କାହିଁକି ଶିବସେନାର ବିଧାୟକ ବିଦ୍ରୋହ କଲେ ଏବଂ ବିଜେପି ସହ ମିଳିତ ଭାବେ ସରକାର କଲେ ସେନେଇ ମୁହଁଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର କହିଛନ୍ତି, ଶିବସେନା ବିଧାୟକ ମହାବିକାଶ ଅଘାଡି ସରକାରରେ କାମ କରିପାରୁନଥିଲେ । ଶିବସେନା-ବିଜେପି ମିଳିତ ଭାବେ ନିର୍ବାଚନ ଲଢିଥିଲେ । ତେବେ ସରକାର ଗଠନ କରିଥିଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ । ଏହି କାରଣରୁ ଯେତେବେଳେ ହିନ୍ଦୁତ୍ୱର ପ୍ରସଙ୍ଗ ଆସିଥିଲା, ଦାଉଦର ପ୍ରସଙ୍ଗ ଆସିଥିଲା ସେତେବେଳେ ଶିବସେନା ନିର୍ଣ୍ଣୟ ନେଇପାରୁନଥିଲା । ଉଦ୍ଧବ ଠାକରେ ହିନ୍ଦୁତ୍ୱ ବିଚାରଧାରାକୁ ପଛରେ ଛାଡିଦେଇଥିଲେ । ଏଥିପାଇଁ ହିନ୍ଦୁତ୍ୱର ପତାକା ତାଙ୍କୁ ଉଡାଇବାକୁ ପଡିଲା ।

ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏକନାଥ କହିଛନ୍ତି, ଆମ ସରକାରକୁ ବିଜେପିର ସମର୍ଥନରୁ ସ୍ପଷ୍ଟ ବାରିହେଉଛି କେବଳ ସରକାର ଗଢିବା ପାଇଁ ନୁହେଁ ବିଚାରଧାରା ପାଇଁ ମଧ୍ୟ ସମର୍ଥନ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କୁ ଲାଗୁଛି ବିଜେପି ସରକାରରେ ଆସିବା ପାଇଁ କିଛିବି କରିଥାଏ । ତେବେ ସେ ସମସ୍ତ ଦେଶବାସୀଙ୍କୁ କହିରଖିବାକୁ ଚାହୁଁଛି ଯେ ଏହି ୫୦ ଜଣ ହିନ୍ଦୁତ୍ୱ ପାଇଁ ପ୍ରମୁଖ ଭୂମିକା ନେଇଛନ୍ତି । ଏମାନଙ୍କର ଏଜେଣ୍ଡା ହିନ୍ଦୁତ୍ୱର, ବିକାଶର ତେଣୁ ସମସ୍ତେ ସମର୍ଥନ ପାଇଁ ଆସିଥିଲେ । ଆମଠାରୁ ଅଧିକ ବିଧାୟକ ଥାଇ ମଧ୍ୟ ବିଜେପି ଆମକୁ ସମର୍ଥନ କରିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆମକୁ ସମର୍ଥନ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ଏକନାଥ ସିନ୍ଦେଙ୍କୁ କହିଥିଲେ ଯେ ସେ ରାଜ୍ୟକୁ ଆଗକୁ ନେବେ, ବିକାଶକୁ ତ୍ୱରାନ୍ୱିତ କରିବେ । କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ଆଶ୍ୱସନା ପରେ ଆମେ ଏହି ନିଷ୍ପତ୍ତି ନେଇଥିଲୁ ।