ମହିନ୍ଦ୍ରାର ‘ଅକ୍ସିଜେନ ଅନ୍ ହ୍ୱିଲ୍’ ଯୋଜନା । ସିଧା ଲୋକଙ୍କ ଘର କିମ୍ବା ହସ୍ପିଟାଲରେ ପହଂଚିବ ପ୍ରାଣବାୟୁ

159

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଦେଶକୁ ପୁରା କବଳିତ କରିଥିବା ବେଳେ ଦେଶର କର୍ପୋରେଟ୍ ହାଉସ ଲଗାତର ଭାବେ ଲୋକ ଓ ସରକାରଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଅକ୍ସିଜେନର ଅଭାବ ଦୂର କରିବାକୁ ଷ୍ଟିଲ ଓ ପେଟ୍ରୋଲିୟମ କମ୍ପାନୀ ମାନେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି କରିଛନ୍ତି । ଅନ୍ୟପଟେ କିଛି କର୍ପୋରେଟ୍ ହାଉସ୍ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି । ଏହି କ୍ରମରେ ସବୁବେଳେ ଲୋକଙ୍କ ସାଙ୍ଗରେ ରହୁଥିବା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ବି କୋଭିଡ ପୀଡିତ ଲୋକଙ୍କ ସହାୟତା ଯୋଗାଇଦେବାକୁ ଆଗକୁ ଆସିଛି । କମ୍ପାନୀ ତରଫରୁ ‘ଅକ୍ସିଜେନ ଅନ୍ ହ୍ୱିଲ୍’ ନାମରେ ଏକ ପୋଗ୍ରାମ ଆରମ୍ଭ କରାଯାଇଛି ।

ସୂଚନା ମୁତାବକ ମହିନ୍ଦ୍ରା ଗ୍ରୁପର ଲଜିଷ୍ଟିକ୍ ‘ମହିନ୍ଦ୍ରା ଲଜିଷ୍ଟିକ’ ଏହି ପୋଗ୍ରାମ ଚଳାଇବ । ଏହି ପୋଗ୍ରାମର ଉର୍ଦ୍ଦେଶ୍ୟ ହେଉଛି ଦେଶରେ ଅକ୍ସିଜେନ ଉତ୍ପାଦନ ଓ ଏହାର ଯୋଗାଣ ମଧ୍ୟରେ ସମୟର ଅନ୍ତରକୁ ଦୂର କରିବା । ଏବେ ମହାରାଷ୍ଟ୍ରରେ କମ୍ପାନୀ ଏହି କାମ ଆରମ୍ଭ କରିଦେଇଛି ।

ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି କି ଦେଶରେ କରୋନା ସଂକ୍ରମଣରେ ମରୁଥିବା ଲୋକମାନଙ୍କ ସଂଖ୍ୟା କମ୍ କରିବାକୁ ଅକ୍ସିଜେନର ଆବଶ୍ୟକତା ରହିଛି । ହେଲେ ଦେଶରେ ଏବେ ଅକ୍ସିଜେନ ଉତ୍ପାଦନ କରିବାରେ ସମସ୍ୟା ନାହିଁ କିନ୍ତୁ ଠିକ୍ ସମୟରେ ଏହାକୁ ମେଡିକାଲ ଓ ରୋଗୀଙ୍କ ଘରେ ପହଂଚାଇବାର ଅସୁବିଧା ହେଉଛି । ମହିନ୍ଦ୍ରା ଗ୍ରୁପର ‘ଅକ୍ସିଜେନ ଅନ୍ ହ୍ୱିଲ’ ଏହାର ସମାଧାନ କରିବାକୁ ଚେଷ୍ଟା କରିବ ।

 

ଏହି ପୋଗ୍ରାମ ମାଧ୍ୟମରେ ମହିନ୍ଦ୍ରା ଗ୍ରୁପ ନିଜର ଟ୍ରକକୁ ଉପଯୋଗ କରିବେ । ଯେଉଁଠାରେ ଅକ୍ସିଜେନ ଉତ୍ପାଦନ ହେଉଛି ସେଠାରୁ ହସ୍ପିଟାଲ ଓ ଆବଶ୍ୟକ କରୁଥିବା ଲୋକଙ୍କ ଘର ନିକଟରେ ବି ପହଂଚାଇବ । ଯାହା ଫଳରେ ଅଧିକରୁ ଅଧିକ ଲୋକଙ୍କୁ ତୁରନ୍ତ ଅକ୍ସିଜେନ ମିଳିଯିବ । ଏନେଇ କମ୍ପାନୀ ତରଫରୁ ଏକ ଅପରେଶନ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି   । ଏହି କଣ୍ଟ୍ରୋଲ ରୁମ ଉତ୍ପାଦନ କେନ୍ଦ୍ରରୁ ଗ୍ରାହକ ପର୍ଯ୍ୟନ୍ତ ଅକ୍ସିଜେନ ପହଂଚାଇବାକୁ ‘ଡାଇରେକ୍ଟ ଟୁ କନ୍ଜ୍ୟୁମର’ ପଦ୍ଧତିରେ କାମ କରିବ ।

ଅନ୍ୟପଟେ ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା କହିଛନ୍ତି କି ଏବେ କମ୍ପାନୀ ଏଭଳି କାର୍ଯ୍ୟ କେବଳ ମହାରାଷ୍ଟ୍ରରେ ଆରମ୍ଭ କରିଛି । ଖୁବଶୀଘ୍ର ଏହା ସାରାଦେଶରେ ଚାଲୁହେବ ବୋଲି ସେ କହିଛନ୍ତି । ଏନେଇ କମ୍ପାନୀ ନିଜର ଡିଲରସିପ୍ ନେଟୱାର୍କ ଓ ସ୍ଥାନୀୟ ପ୍ରଶାସନର ସହାୟତା ନେବ ।