କାର ଓ ବାଇକ ବନାଉଥିବା ମହିନ୍ଦ୍ରା କମ୍ପାନୀ ଏବେ ଭାରତୀୟ ବାୟୁସେନା ପାଇଁ ତିଆରି କରିବ ବିମାନ । ବ୍ରାଜିଲ କମ୍ପାନୀ ସହ ହେଲା ଚୁକ୍ତି

220

କନକ ବ୍ୟୁରୋ : ଭାରତର ବଡ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ବିମାନ ନିର୍ମାଣ କରିବାକୁ ଯାଉଛି । ବାୟୁସେନାରେ ପରିବହନ ପାଇଁ ବ୍ୟବହୃତ ହେଉଥିବା ପରିବହନ ବିମାନ ନିର୍ମାଣ କରିବ ମହିନ୍ଦ୍ରା । ଏନେଇ ମହିନ୍ଦ୍ରା ଓ ବ୍ରାଜିଲର ଏମ୍ବରେୟର କମ୍ପାନୀ ସହ ଚୁକ୍ତି ହୋଇଛି । ଏହି ଚୁକ୍ତିନାମାରେ ଭାରତ ସରକାରଙ୍କ ମଧ୍ୟମ ପରିବହନ ଏୟାରକ୍ରାଫ୍ଟ ପ୍ରୋକରମେଣ୍ଟ ପ୍ରୋଜେକ୍ଟ ଆଧାରରେ କରାଯାଇଛି ।

ବ୍ରାଜିଲ କମ୍ପାନୀ ସହ ହୋଇଥିବା ଚୁକ୍ତି ମୁତାବକ ଏହି ପରିବହନ ବିମାନ ପ୍ରସ୍ତୁତ ପାଇଁ ଭାରତରେ ଫ୍ୟାକ୍ଟ୍ରି ନିର୍ମାଣ କରାଯିବ । ଏହି ବିମାନର ନାମ ସି-୩୯୦ ମିଲେନିୟମ ରହିବ । ଏହା ଏକ ମଲ୍ଟି ମିଶନ ଏୟାରକ୍ରାଫ୍ଟ । ଏହି ବିମାନ ବିଶେଷ ଭାବେ ଭାରତୀୟ ବାୟୁସେନା କରିବ । ହେଲେ ଏହା ଯେତେବେଳେ ବିଦେଶକୁ ଏକ୍ସପୋର୍ଟ ହେବ ସେତେବେଳେ ଦେଶକୁ ଲାଭ ମିଳିବ । ଏହାସହ ଦେଶରେ ରକ୍ଷା ବିମାନ ଉଦ୍ୟୋଗର ବିକାଶ ହେବ ।

ସି-୩୯୦ ମିଲେନିୟମ ମଧ୍ୟମ ଆକୃତିର ବିମାନ ବ୍ରାଜିଲରେ ପ୍ରଥମଥର ପାଇଁ ୨୦୧୫ ଫେବୃଆରୀ ୩ ତାରିଖରେ ଉଡାଣ ଭରିଥିଲା । ୨୦୧୯ ମସିହାରେ ଏହାକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ମୋଟ ୯ ଟି ବିମାନ ପ୍ରସ୍ତୁତ କରାଯାଇଛି । ଏହି ୯ଟି ବିମାନର ବ୍ୟବହାର ବିଶେଷ ଭାବେ ବ୍ରାଜିଲ, ପର୍ତୁଗାଲ ଓ ହଙ୍ଗେରୀ ବାୟୁସେନା କରୁଛି ।

ଏହି ବିମାନର ବିଶେସ୍ୱତ ହେଉଛି ବିମାନଟିକୁ ୩ ଜଣ ଉଡାଇଥାନ୍ତି । ଦୁଇଜଣ ପାଇଲଟ ଓ ଜଣେ ଲୋଡମାଷ୍ଟର ସାମିଲ ଥାନ୍ତି । ଏହି ବିମାନ ୨୬ ହଜାର କିଲୋଗ୍ରାମ ଓଜନର ସାମଗ୍ରୀ ନେଇପାରିବାର ଶକ୍ତି ବହନ କରିଥାଏ । ଏହାର ଲମ୍ବ ୧୧୫.୬ ଫୁଟ ଓ ଉଚ୍ଚତା ୩୮.୧୦ ଫୁଟ । ବିମାନଟିରେ ଏକାଥରକେ ୨୩ ହଜାର କିଲୋଗ୍ରାମ ତୈଳ ଟାଙ୍କି ରହିଛି । ଯାହା କି ୫୦୨୦ କିଲୋମିଟର ଉଡାଣ ଭରିପାରିବ । ସର୍ବାଧିକ ଘଣ୍ଟାପ୍ରତି ୯୯୮ କିଲୋମିଟର ବେଗରେ ଉଡାଣ ଭରିପାରିବ ।