ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ରଖିବା ନେଇ ପ୍ରଶ୍ନ ଉଠାଇଲେ ମହେଶ୍ୱର ମହାନ୍ତି । ପୂର୍ବତନ ବିଧାୟକ କହିଲେ, ଏତେ ଟଙ୍କା ଜମା କରିବା ପୂର୍ବରୁ ଚିନ୍ତା କରିବାର ଥିଲା

ଆଇନ ମନ୍ତ୍ରୀ କହିଲେ, ମ୍ୟାଚୁରିଟି ପରେ ରାଷ୍ଟ୍ରୟାତ ବ୍ୟାଙ୍କକୁ ନିଆଯାଇଥାନ୍ତା ଟଙ୍କା

534

କନକ ବ୍ୟୁରୋ: ୟେସ୍ ବ୍ୟାଙ୍କ ସଙ୍କଟ ଖବର ପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିର ପ୍ରଶାସନର କୋଟି କୋଟି ଟଙ୍କା ବୁଡି ଯିବା ନେଇ ସୃଷ୍ଟି ହୋଇଛି ସନ୍ଦେହ । ଏହି ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ୫୯୨ କୋଟି ଟଙ୍କା ଜମା ରଖିଥିଲା । ଚଳିତ ମାସ ୧୬ ଓ ୨୯ରେ ମାଚ୍ୟୋର ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ପରିଚାଳନାରେ ହସ୍ତକ୍ଷେପ କରି ଜଣେ ଗ୍ରାହକ ମାସକୁ କେବଳ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି କଟକଣା ଜାରି କରିଛି ।ଏହା ପରେ ବ୍ୟାଙ୍କରେ ଜମା ଟଙ୍କାକୁ ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି ହୋଇଛି ।

ମହାପ୍ରଭୁଙ୍କ ଏହି ଜମା ଟଙ୍କାରେ ମନ୍ଦିରର ବିଭିନ୍ନ ବ୍ୟବସ୍ଥା ପରିଚାଳନା ହୋଇଥାଏ । ସମସ୍ତ କର୍ମଚାରୀ ଦରମା ପାଇଥାନ୍ତି । ଶ୍ରୀମନ୍ଦିର ଜମା ଟଙ୍କାରୁ ୪୭ କୋଟି ଟଙ୍କାର ଫ୍ଲେକ୍ସି ଜମା ପ୍ରତ୍ୟାହାର କରାଯାଇସାରିଛି । ଅବଶିଷ୍ଟ ୫୪୫ କୋଟି ଟଙ୍କା ବ୍ୟାଙ୍କରେ ରହିଛି । ଏବେ ଏହି ସମୟସୀମା ପୁରିବା ପୂର୍ବରୁ ୟେସ ବ୍ୟାଙ୍କ ସଙ୍କଟରେ ପଡିଥିବାରୁ ଶ୍ରୀମନ୍ଦିରର କୋଟି କୋଟି ଟଙ୍କା ସୁରକ୍ଷିତ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେପଟେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି, ଏତେ ଟଙ୍କା ଜମା କରିବା ପୂର୍ବରୁ ବ୍ୟାଙ୍କ ବିଷୟରେ ଜାଣିବା ଉଚିତ ଥିଲା । ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିଛି । ଅନ୍ୟପଟେ, ୟେସ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ କେମିତି ଏତେ ଟଙ୍କା ଜମା କରିବାକୁ ସରକାର ନିଷ୍ପତି ନେଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଆର୍ଥିକ ସଂକଟରେ ୟେସ୍ ବ୍ୟାଙ୍କ । ବ୍ୟାଙ୍କର ଅର୍ଥିକ ସ୍ଥିତି ଅଧିକ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଛି କଟକଣା । ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ହାତକୁ ନେଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜାରି କରିଛି କଟକଣା । ଏହି କଟକଣା ଅନୁସାରେ ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ୟେସ୍ ବ୍ୟାଙ୍କରୁ ଉଠାଇ ପାରିବେନି । ଏନେଇ ଅର୍ଥମନ୍ତ୍ରାଳୟରୁ ଜାରି ହୋଇଛି ବିଜ୍ଞପ୍ତି । ଏହି ଟଙ୍କା ଉଠାଣର କଟକଣା ମାସକ ପାଇଁ ଲାଗୁ ହୋଇଛି । ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ।

ନିଜର କିଂବା ନିଜ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ମେଡିକାଲ ଖର୍ଚ, ବିବାହ, ପାଠପଢା ପିଲାଙ୍କ ପାଠପଢା ପରି ଖର୍ଚ ତୁଲାଇବାକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଅନୁମତି ମିଳିବ ବୋଲି କୁହାଯାଇଛି । ଏବେ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡ ରିଜର୍ଭ ବ୍ୟାଙ୍କ ହାତକୁ ଚାଲିଯାଇଛି । ବ୍ୟାଙ୍କ ଋଣ ଆକାରରେ ପ୍ରଦାନ କରିଥିବା କୋଟି କୋଟି ଟଙ୍କା ବୁଡି ଯାଇଥିବାରୁ ଏପରି ସ୍ଥିତି ଦେଖା ଦେଇଛି । ରେଟିଂ ଏଜେନ୍ସି ଗୁଡିକ ଏହାର ରେଟିଂ ମଧ୍ୟ କମ୍ କରିଦେଇଛନ୍ତି । ଲଗାତର ଭାବେ ବ୍ୟାଙ୍କର ଅର୍ଥରାଶି ବାହାରକୁ ଚାଲିଯାଉଥିବାରୁ ବ୍ୟାଙ୍କ୍ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା କୁହାଯାଇଛି । ସେପଟେ ୟେସ ବ୍ୟାଙ୍କ ଏନେଇ ସ୍ପଷ୍ଟୀକରଣ ରଖିଛି ।ବ୍ୟାଙ୍କରେ ସମସ୍ତଙ୍କ ଜମା ଟଙ୍କା ସୁରକ୍ଷିତ ରହିଛି । ବ୍ୟାଙ୍କର ସଂକଟ ସ୍ଥିତି ଦେଖି ଆରବିଆଇ ସଠିକ ନିଷ୍ପତି ନେଇ । କୌଣସି ଅପପ୍ରଚାରକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।