ଶଙ୍ଖ ଭବନରେ ମହେଶ୍ୱରଙ୍କ ପାର୍ଥିବ ଶରୀର । ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦଳୀୟ ନେତା ।

372

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଛି । ହସ୍ପିଟାଲରୁ ସିଧାସଳଖ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି ମହେଶ୍ୱରଙ୍କ ମରଶରୀର ।  ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦଳୀୟ ନେତା । ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ତାଙ୍କର ଶେଷଦର୍ଶନ କରିବେ ବିଧାନସଭାର ସଦସ୍ୟ ଓ ସାଧାରଣ ଲୋକ । ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯିବ । ପୁରୀରେ ମହେଶ୍ୱରଙ୍କ ଅନ୍ତିମ ସଂସ୍କାର କରାଯିବ ।

ମହେଶ୍ୱର ମହାନ୍ତି ଗତ କିଛି ଦିନ ହେବ ହସ୍ପିଟାଲରେ ଭର୍ତ୍ତି  ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ଶତଚେଷ୍ଟା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା ।  ରାତି ୩ଟା ୨୫ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ହସପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ୧ ତାରିଖ ଦିନ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ ମହେଶ୍ୱର । ଏହାପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କ୍ରମାଗତ ଭାବେ ୫ ଥର ପୁରୀ ନିର୍ବାଚନମଣ୍ଡଳୀର ସେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ମହେଶ୍ୱର ମହାନ୍ତି । ୨୦୧୧ରେ ପଂଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହପରି ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ଅନେକ ବାଦ ବିବାଦରେ ସେ ଛନ୍ଦି ହୋଇଥିଲେ ବି ରାଜ୍ୟ ରାଜନୀତି ବିଶେଷ କରି ପୁରୀ ରାଜନୀତିରେ ସେ ବେଶ ପ୍ରଭାବଶାଳୀ ଥିଲେ । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ ।