କନକ ବ୍ୟୁରୋ : ଚଳିତ ଆଇପିଏଲ ମଝିରୁ ପୁଣିଥରେ ଚେନ୍ନାଇର ମଙ୍ଗ ଧରିଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ଲଗାତାର ପରାଜୟ ପରେ ଚେନ୍ନାଇ ଅଧିନାୟକ ପଦକୁ ବାଏ ବାଏ କରିଥିଲେ ରବୀନ୍ଦ୍ର ଜାଡେଜା । ଆଉ ଏହାପରେ ଧୋନୀଙ୍କୁ ପୁଣିଥରେ ଏହି ଗୁରୁଦାୟିତ୍ୱ ଦେଇଥିଲା ଫ୍ରାଞ୍ଚାଇଜ । ଧୋନୀଙ୍କ ନେତୃତ୍ୱରେ ପୁଣିଥରେ ବିଜୟ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ । ଏହାସହ ପ୍ଲେ-ଅଫ୍ ଖେଳିବା ଆଶା ମଧ୍ୟ ଉଜ୍ଜିବୀତ ରହିଛି । ଧୋନୀଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୩ ରନର ବିଜୟ ହାସଲ କରିଛି ଚେନ୍ନାଇ ।

Advertisment

ଧୋନୀ ପୁଣିଥରେ ଚେନ୍ନାଇର ମଙ୍ଗ ଧରିବା ପରେ ପ୍ରଂଶସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପୁଣିଥରେ ଧୋନୀ ଧୋନୀ ନାରାରେ ପ୍ରକମ୍ପିତ ହେଉଛି ଷ୍ଟାଡିୟମ । ଆଉ ହଜାର ହଜାର ଫ୍ୟାନଙ୍କ ମଧ୍ୟରେ ଗତକାଲି ସମସ୍ତଙ୍କର ନଜର ଥିଲା ଷ୍ଟାଡିୟମରେ ଥିବା ଜଣେ କୁନି ଫ୍ୟାନଙ୍କ ଉପରେ । ଯାହାଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବ । ଯିଏ ଧୋନୀଙ୍କୁ ଚିୟର ଅପ୍ କରିବାକୁ ବାପାଙ୍କ ସହ ଷ୍ଟାଡିୟମକୁ ଆସିଥିଲେ । ତେବେ ଷ୍ଟାଡିୟମରେ ଏତେ ଭିଡ ଭିତରେ କୁନି ଝିଅ ଉପରେ ସେତେବେଳେ କ୍ୟାମେରାର ନଜର ପଡିଲା ଯେତେବେଳେ ବାପା ତାଙ୍କୁ ନିଜ କାନ୍ଧ ଉପରେ ବସାଇଥିଲେ ।

ବାପାଙ୍କ କାନ୍ଧରେ ବସିଥିବା କୁନି ଝିଅଟି ହାତରେ ପ୍ଲାକାର୍ଡ ଧରିଥିଲେ । ଆଉ ଏଥିରେ ଧୋନୀଙ୍କ ପାଇଁ କିଛି ହୃଦୟକୁ ଛୁଇଁଲା ଭଳି କଥା ଲେଖାଥିଲା । ମ୍ୟାଚ୍ ମଝିରେ ଦର୍ଶକଙ୍କ ଭିତରୁ କୁନି ଝିଅଟି ହାତରେ ପ୍ଲାକାର୍ଡ ଧରି କ୍ୟାମେରାକୁ ଦେଖାଇବା ସହ ଚେନ୍ନାଇ ପ୍ରଂଶସକଙ୍କ ମନ ଜିଣିଥିଲେ । ପ୍ଲାକାର୍ଡରେ ଧୋନୀଙ୍କ ଏକ ଫଟୋ ଥିବା ବେଳେ ସେଥିରେ ଲେଖାଥିଲା ଆଇ ଲଭ ମାହି । ପ୍ଲାକାର୍ଡର ତଳକୁ କୁନି ଝିଅଟିର ନାଁ ଜିଗିଶା ବୋଲି ଲେଖାଯାଇଥିଲା । ଆଉ ଧୋନୀଙ୍କ ଏହି ଚିତ୍ରକୁ ଜିଗିଶା ନିଜେ ଆଙ୍କିଛନ୍ତି ।