ଧୋନୀଙ୍କୁ ଭେଟିବାକୁ ପ୍ରଶଂସକ କଲେ ଏଭଳି କାମ, ଭେଟିବା ପରେ ଏମିତି ଉତ୍ତର ଦେଲେ ଧୋନୀ

143

କନକ ବ୍ୟୁରୋ : ସାରା ବିଶ୍ୱରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏମିତି କିଛି ପ୍ରଶଂସକ ଅଛନ୍ତି ସେମାନେ ଧୋନୀଙ୍କର ଟିକେ ଝଲକ ପାଇବାକୁ କିଛି ବି କରିବାକୁ ପ୍ରସ୍ତୁତ । ଧୋନୀଙ୍କର ଏଭଳି ଜଣେ ପ୍ରଶଂସକ ହେଉଛନ୍ତି ଅଜୟ ଗିଲ, ଯେ କି ଧୋନୀଙ୍କୁ ଭେଟିବାକୁ ସୁଦୂର ହରିଆଣାରୁ ୧୪୩୬ କିଲୋମିଟର ପାଦରେ ଚାଲି ରାଂଚି ପହଂଚିଛନ୍ତି । ଏସବୁ କଷ୍ଟ ସେ ସେତେବେଳେ ଭୂଲି ଯାଇଛନ୍ତି ଯେତେବେଳେ ପାଖରେ ସେ ମହାନ କ୍ରିକେଟର ଧୋନୀଙ୍କୁ ପାଇଥିଲେ ।

ଅଜୟ ଗିଲ୍ ଧୋନୀଙ୍କୁ ଭେଟିବା ପରେ ପ୍ରଥମେ ତାଙ୍କ ସହ ଗଳା ମିଳାଇ ତାଙ୍କୁ ଆଇ ଲଭ ୟୁ କହିଥିଲେ । ଏହାସହ ଧୋନୀ ପ୍ରଶଂସକଙ୍କ ପାଇଁ ବିମାନ ଟିକେଟର ବ୍ୟବସ୍ଥା କରି ତାଙ୍କୁ ପୁଣି ରାଞ୍ଚିରୁ ହରିଆଣା ପଠାଇବାର ବ୍ୟବସ୍ଥା କରିଛନ୍ତି । ଅଜୟ ଗିଲ ମହେନ୍ଦ୍ର ସିଂ ଧୋନୀଙ୍କ ପାଖରେ ପହଂଚିବା ପରେ ଉଭୟଙ୍କ ମଧ୍ୟରେ କେବଳ ଭେଟ ହୋଇ ନଥିଲା । ଏହି ଅବସରରେ ଧୋନୀ ଅଜୟଙ୍କୁ ତାଙ୍କର ଫାର୍ମ ହାଉସ ବି ବୁଲାଇ ଦେଖାଇଥିଲେ ।

କହିରଖୁ କି, ହରିଆଣାର ଜଲାନ ଖେଡା ଜିଲ୍ଲାର ୧୮ ବର୍ଷିୟ ଅଜୟ ଗିଲଙ୍କୁ ଧୋନୀଙ୍କର ଜଣେ ବଡ ପ୍ରଶଂସକ ଭାବେ ସମସ୍ତେ ଜାଣିଥାନ୍ତି । ଧୋନୀଙ୍କୁ ଭେଟିବାକୁ ସେ ୧୮ ଦିନ ଧରି ହରିଆଣାରୁ ରାଞ୍ଚି ପଦଯାତ୍ରା ଆରମ୍ଭ କରିଥିଲେ । ଧୋନୀଙ୍କୁ ଭେଟିବା ପରେ ତାଙ୍କ ଜୀବନ ଧନ୍ୟ ହୋଇଯାଇଥିବା କଥା ଅଜୟ କହିଛନ୍ତି ।

ଅଜୟ ଗିଏ ନିଜ ବାବଦରେ କହିବାକୁ ଯାଇ କହିଛନ୍ତି କି, ସେ ପ୍ରତିଜ୍ଞା କରିଥିଲେ କି ଯେତେବେଳେ ପର୍ଯ୍ୟନ୍ତ ତାଙ୍କୁ ଧୋନୀ ଆର୍ଶିବାଦ ନକରିଛନ୍ତି ସେ କ୍ରିକେଟ ଖେଳିବେ ନାହିଁ । ଅନ୍ୟପଟେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଧୋନୀ କ୍ରିକେଟ ଛାଡିବା ପରେ ସେ ବି କ୍ରିକେଟ ଖେଳିବା ଛାଡି ଦେଇଥିଲେ । ଏବେ ପୁଣିଥରେ ଅଜୟ କ୍ରିକେଟ ଖେଳିବା ଆରମ୍ଭ କରିଛନ୍ତି । ଅଜୟ ଏବେ ଯୁକ୍ତ ଦୁଇ ପାସ କରି ନିଜ ସହରରେ ଜଣେ ବାରିକ ଭାବେ କାମ କରୁଛନ୍ତି ।